ଓଡିଶା ମୁହାଁ ବାତ୍ୟା ୟାସ, ପଶ୍ଚିମବଙ୍ଗ ବି ସତର୍କ । ମେଦିନାପୁରରୁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର

397

କନକ ବ୍ୟୁରୋ: ମାଡି ଆସୁଛି ସାମୁଦ୍ରିକ ଝଡ ୟାସ । ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଓ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବ । ହେଲେ ଏହାର କିଛିଟି ପ୍ରଭାବ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ବି ପଡିବାର ସମ୍ଭାବନା ରହିଛି । ତେଣୁ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ଓଡିଶା ସୀମାନ୍ତ ଅଞ୍ଚଳ ମେଦିନାପୁରରୁ ତଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଇଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଓଡିଶା ଆଡକୁ ମାଡି ଆସୁଛି । ଏହାର ପ୍ରଭାବରେ ଉପକୂଳ ଓଡିଶାର କିଛି ସ୍ଥାନରେ ଆଜିଠୁ ବର୍ଷା ଲାଗି ରହିଛି । ତେବେ ଓଡିଶାରେ ବାତ୍ୟାର ପ୍ରଭାବ ପାରାଦୀପ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପଡିବ ବୋଲି ଆକଳନ କରାଯାଇଛି ।

୨୬ ତାରିଖ ଦିନ ବାତ୍ୟା ବାଲେଶ୍ୱର ନିକଟରେ ଲ୍ୟାଣ୍ଡଫଲ କରିପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ରହିପାରେ । ତେବେ ଓଡିଶାରେ ମଧ୍ୟ ବାତ୍ୟା ପାଇଁ ସରକାର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି । ଆଉ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।