୨୬ ମାର୍ଚ୍ଚରୁ ଲାଗୁହେବ ନୂଆ ନିୟମ : ଏଣିକି ବାହାଘରରେ ୨ ଶହ ଓ ଅନ୍ତିମ ସଂସ୍କାରରେ ସାମିଲ ହେବେ ୫୦ ଲୋକ; ବନ୍ଦ କୋଠରୀରେ ଦର୍ଶକଙ୍କ କ୍ଷମତା ରହିବ ୫୦ ପ୍ରତିଶତ

174

କନକ ବ୍ୟୁରୋ :  ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେବା ଆର୍‌ମ୍ଭ କରିଛନ୍ତି । ଗତ କିଛି ଦିନ ହେଲା ବିବାହ ଭୋଜିରେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ଏହି ସଂଖ୍ୟାକୁ ପୁଣି ୨୦୦କୁ ଖସାଇ ଦିଆଯାଇଛି । ଏହା ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ।

କେବଳ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି । ଅନ୍ୟ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ । ଏଥିରେ ସ୍ପଷ୍ଟ କରାଯାଇଛି ଯେ କୌଣସି ହଲ୍‌ରେ ବିବାହ ଭୋଜି ହେଲେ ହଲ୍‌ କ୍ଷମତାଠାରୁ ୫୦%ରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ ।

ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ । ସବୁ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର୍‌ ଓ ପୁଲିସ୍‌ କମିସନର୍‌ କୋଭିଡ୍‌ ଗାଇଡ‌ଲାଇନ୍ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।