ଆଜିି ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ହୋଇପାରେ ଘୋଷଣା

ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ

115

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଯିବେ ନୂଆପଡା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ସମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ ।

ଅନେକ ବାଦବିବାଦ ଓ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରିଥିବା ୧୯୨୫ କୋଟି ୬୩ ଲକ୍ଷ ଟଙ୍କାର ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ୨୦ ବର୍ଷ ହେଲାଣି ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୬ଜଣ ମନ୍ତ୍ରୀ ଓ ୪୦ ଜଣ ବିଧାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ବି ରହିଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୨ଟି ସ୍ଥାନରେ ବଡ଼ ପରଦା ଲଗାଯାଇ କାର୍ଯ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା ହୋଇଛି ।

ପ୍ରଶାସନ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସକାଳ ସାଢ଼େ ୯ଟାରେ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଜାହାଜରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ସ୍ଥାନକୁ ପହଞ୍ଚି ସେଠାରେ ପ୍ରଥମେ ପ୍ରକଳ୍ପ ଉଦ୍‌ଘାଟନ କରିବେ । ୨୦୦୦ ମସିହା ମଇ୭ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଏହାପରେ ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହି ସ୍ଥାନରୁ ୪ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଅନ୍ୟପଟେ ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ କୋମନା ବ୍ଲକ୍‌ କାଳୀମାଟି ଗ୍ରାମର ୧୦ଟି ପରିବାର କ୍ଷତିପୂରଣ ମିଳିନଥିବାରୁ ଆଜି ପର୍ଯ୍ୟନ୍ତ ଭିଟାମାଟି ଛାଡ଼ିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିବାରୁ, ଜିଲ୍ଲା ପ୍ରଶାସନ ଏହି ପରିବାରର ଲୋକଙ୍କୁ ରଜନା ସ୍କୁଲ୍‌ରେ ଏକ ଅସ୍ଥାୟୀ କ୍ୟାମ୍ପ୍‌ କରି ରଖିଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପ୍ରଶାସନିକ ଅଧିକାରୀ ଓ‌ ନେତାମାନେ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।