କନକ ବୁରୋ : ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଉଛନ୍ତି । ନବୀନ ୭ ଦିନିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଉଛନ୍ତି । ଏହି ଗସ୍ତ ସମୟରେ ନବୀନ ଜାପାନ ରାଜଧାନୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ ।  ମୁଖ୍ୟତଃ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର କିଛି ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ । ଏହାସହ ଜାପାନ ସରକାରଙ୍କ କିଛି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର ଅଛି । କ୍ୟୋଟୋ ଓ ଓସାକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ ।

Advertisment

ସେହିପରି ଦୁବାଇରେ ନିବେଶକ ସମ୍ମିଳନୀରେ ୨୧ହଜାର କୋଟିର ପୁଞ୍ଜିନିବେଶ ଆସିବା ପରେ ଜାପାନରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । ବିଶେଷକରି ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଜାପାନ ଅଧିକ ପୁଞ୍ଜିନିବେଶ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ପୂର୍ବରୁ ୨୦୧୮ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶା ସହ ବାଣିଜ୍ୟିକ ସମ୍ପର୍କ ମଜବୁତ୍‌ କରିଛନ୍ତି । ଏବେ ଜାପାନର ପ୍ରାୟ ୫୦ରୁ ଅଧିକ କମ୍ପାନି ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାରବାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ଅଧିକ ବଢ଼ାଇବାକୁ ଉଭୟ ଓଡ଼ିଶା ଓ ଜାପାନ ସରକାର ଆଶାବାଦୀ ଥିବା କୁହାଯାଉଛି ।