ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ଭୁବନେଶ୍ୱର ବାସଭବନରେ ପହଞ୍ଚି ଜଣାଇଲେ ଶ୍ରଦ୍ଧାଞ୍ଜଳି

292

କନକ ବ୍ୟୁରୋ : ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ । ପାର୍ଥିବଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କଲେ । ଶେଷ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଛନ୍ତି । ଏଥି ସହିତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ମୃତ୍ୟୁ ଘଟିଛି । ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଡାକ୍ତରୀ ଦଳର ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନାହାନ୍ତି । ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ପରଲୋକ ସମ୍ପର୍କରେ ବିଧିବଦ୍ଧ ସୂଚନା ଦିଆଯିବା ସହିତ ଏକ ବିବୃତିରେ କୁହାଯାଇଥିଲା ଯେ ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜି ବାହାରିଯାଇଛି । ଫଳରେ ହୃତ୍‌ପିଣ୍ଡ ଓ ବାମ ଫୁସ୍‌ଫୁସ୍‌ରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି। ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପରେ ବି ଜୀବନ ରକ୍ଷା ସମ୍ଭବ ହୋଇନଥିଲା ।

ଭୁବନେଶ୍ବରରେ ମନ୍ତ୍ରୀଙ୍କ ଏୟ‌ାର ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ଆପୋଲୋ ହସ୍ପିଟାଲ୍‌ ଯାଇ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ହସ୍ପିଟାଲରେ ଆଗୁଆ ପହଞ୍ଚି ଶ୍ରୀ ଦାସଙ୍କୁ ଯେପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ଡାକ୍ତରୀ ଦଳ ଏବଂ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଆପୋଲୋର ଅଭିଜ୍ଞ ଡାକ୍ତରମାନେ ପ୍ରସ୍ତୁତ ରହିବା ସହ ଏସ୍‌ସିବି ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ମଧ୍ୟ ସ୍ବତନ୍ତ୍ର ଡାକ୍ତରୀ ଦଳକୁ ଅଣାଯାଇଥିଲା ।

ଅପରାହ୍ନ ପ୍ରାୟ ୩ଟାରେ ନବ ଦାସଙ୍କୁ ଆଣି ସ୍ବତନ୍ତ୍ର ହେଲିକପ୍ଟର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ଏହାପରେ ଏକ ଲାଇଫ୍‌ ସେଭିଂ ଆମ୍ବୁଲାନ୍ସରେ ଗ୍ରିନ୍ କରିଡର୍ କରି ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଥିବା ସମୟରେ ହିଁ ତାଙ୍କୁ ହସ୍ପିଟାଲକୁ ଆଣି ସିଧା ଓଟିରେ ଭର୍ତ୍ତି କରାଯାଇଥିଲା ।