ଦେବଗଡରେ ଦ୍ବିତୀୟ କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, କୋଭିଡ୍ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । 

80

କନକ ବ୍ୟୁରୋ: କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ  । ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍‌ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପିଏସୟୁ ମାନେ ଆଗେଇ ଆସିବା ଖୁସିର କଥା । ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ନିଜ ନିଜ ସ୍ତରରେ ମହାମାରୀ ମୁକାବିଲା କରିବା ପାଇଁ କାମ କରିବା ଦରକାର ।

ଦେବଗଡର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ଆଇସିୟୁ, ୩୨ଟି ଏଚଡିୟୁ , ସ୍ବତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି । ଏହି ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେଇଛନ୍ତି । ପୂର୍ବରୁ ଦେବଗଡରେ ୧୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ଏହାଦ୍ବାରା ଜିଲ୍ଲାରେ ବର୍ତ୍ତମାନ ଦୁଇଟି କୋଭିଡ ହସ୍‌ପିଟାଲ ପ୍ରତିଷ୍ଠିତ ହେଲା ।

ଏହି ହସ୍ପିଟାଲକୁ ଉଦଘାଟିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  କୋଭିଡର ଦ୍ବିତୀୟ ଲହର ଏପର୍ଯ୍ୟନ୍ତ ଶେଷ ନ ହୋଇଥିବା ବେଳେ, ତୃତୀୟ ଲହରର ସୂଚନା ଆସିଲାଣି । ଏହାର ମୁକାବିଲା ପାଇଁ ଆମର ପ୍ରସ୍ତୁତି ଜାରି ରହିଛି । ରାଜ୍ୟର ୩୦ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନର ସୁବିଧା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି । କୋଭିଡ ପରିଚାଳନାରେ ଆମର ନୀତି ହେଉଛି – ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ରାଜ୍ୟ ସରକାର ଚିକିତ୍ସା, ଟେଷ୍ଟିଂ, ଖାଦ୍ୟ ଆଦି ସବୁ ବ୍ୟବସ୍ଥାର ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଏହାଦ୍ବାରା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ମଜବୁତ ହୋଇଛି । ଉତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁ ମହାମାରୀର ଅନିଶ୍ଚିତତାକୁ ଆମେ ଭଲ ଭାବରେ ମୁକାବିଲା କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଦେବଗଡର ଏହି ହସ୍‌ପିଟାଲ ସ୍ଥାପନରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ କୋଭିଡର ଦ୍ବିତୀୟ ଲହରରେ ପଶ୍ଟିମ ଓଡିଶା ଅଧିକ ପ୍ରଭାବିତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି । କୋଭିଡ ନିୟନ୍ତ୍ରଣରେ ଦେବଗଡ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଜନସାଧାରଣ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟିକା ଆମକୁ ସୁରକ୍ଷା ଦେବ । କିନ୍ତୁ ସଂପୂର୍ଣ୍ଣ ସୁରକ୍ଷା ପାଇଁ କୋଭିଡର ସବୁ ନିୟମକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସମସ୍ତଙ୍କ ପ୍ରଚେଷ୍ଟା ବଳରେ ଓଡିଶାରେ କୋଭିଡର ପ୍ରଭାବ କମିବାରେ ଲାଗିଛି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦେବଗଡ ଜିଲ୍ଲା ସମେତ ପଶ୍ଚିମ ଓଡିଶାରେ ବର୍ତ୍ତମାନ କୋଭିଡ ନିୟନ୍ତ୍ରଣାଧୀନରେ ରହିଛି ବୋଲି ପ୍ରକାଶ କରିଥିଲେ ଏବଂ ସମ୍ବଲପୁରଠାରେ ଆଉ ଏକ କୋଭିଡ ହସ୍‌ପିଟାଲ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ସପକ୍ଷରେ ମତ ଦେଇଥିଲେ। ଓଡିଶାରେ ଟିକା ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ସେ ପ୍ରଶଂସା କରିଥିଲେ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଯୋଜନବଦ୍ଧ ଭାବରେ ଆଗେଇ ନେଇ ୬-୮ ମାସ ମଧ୍ୟରେ ଯେପରି ସବୁ ଲୋକ ଟିକା ନେଇପାରିବେ, ତାହା ଉପରେ ଗୁରୁତ୍ବ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।