ନବୀନଙ୍କ ଜୟ ଜୟକାର ! ‘ଶ୍ରେଷ୍ଠ ପ୍ରଶାସକ’ଙ୍କୁ ଶୁଭେଚ୍ଛାର ସୁଅ

26

କନକ ବ୍ୟୁରୋ : ଦିଲ୍ଲୀ ମିଡିଆ ପଲିଟିକ୍ସର ଓଡିଶା ରାଜନୀତି ଉପରେ ଜୋରଦାର ପ୍ରଭାବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ପତ୍ରିକା ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ ପରେ ଗତ ଦୁଇଦିନଧରି ଚାଲିଛି ସମ୍ବର୍ଦ୍ଧନା ଓ ଶୁଭେଚ୍ଛାର ପର୍ବ । ପୁରସ୍କାର ପାଇଁ ସୁପ୍ରିମୋଙ୍କୁ ପ୍ରଶଂସାରେ ପୋତି ପକାଇନ୍ତି ନେତା ଓ କର୍ମୀ । ଯେଉଁଥିରୁ ବାଦ ପଡିନାହାନ୍ତି ବି ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ । ନବୀନ ନିବାସରୁ ସଚିବାଳୟ ଯାଏଁ ସବୁଠି ଚାଲିଛି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାର କାର୍ଯ୍ୟକ୍ରମ । କେବଳ ଏତିକି ନୁହେଁ ରବିବାର ରଜ୍ୟର ସମସ୍ତ ପ୍ରମୁଖ ଖବରକାଗଜ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଫୁଲପେଜ ବିଜ୍ଞାପନ । ଯେଉଁଥିରେ ନିଜ ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ।

ଆଉଟଲୁକ୍ ପତ୍ରିକା ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରିଥିବାବେଳେ ଆଉ ଏକ ଇଂରାଜୀ ସାପ୍ତାହିକ ଇଣ୍ଡିଆ ଟୁଡେ, ନବୀନଙ୍କ ପ୍ରକୃତ ମୁହଁକୁ ଆଇନାରେ ଦେଖାଇଥିବା ବିଜେପି କହିଛି । କାରଣ ଏହି ସାପ୍ତାହିକରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନାହାନ୍ତି ନବୀନ । ଇଣ୍ଡିଆ ଟୁଡେର ସଦ୍ୟତମ ସଂସ୍କରଣରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତା ପରେ ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହାକୁ ପ୍ରସଙ୍ଗ କରି ରାଜ୍ୟରେ ଆରମ୍ଭ ହୋଇଛି ସମ୍ମାନ ରାଜନୀତି ।

ଆଶ୍ଚର୍ଯ୍ୟର କଥା ହେଉଛି ନବୀନଙ୍କୁ ଭଲ ମୁଖ୍ୟମନ୍ତ୍ରୀଙ୍କ ତାଲିବାକୁ ବାଦ ଦେଇଥିବା ଇଣ୍ଡିଆ ଟୁଡେ ଏହାର ଜୁଲାଇ ୩ ତାରିଖ ସଂସ୍କରଣରେ କଭରପେଜ ଷ୍ଟୋରୀ କରି କହିଥିଲା ଏକ ଗରିବ ରାଜ୍ୟ ଓଡିଶାକୁ ପରିବର୍ତ୍ତନ କରିପାରିଛନ୍ତି ନବୀନ । ଏପରିକି ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବିଦାର ବୋଲି କହିଥିଲା ଏହି ପତ୍ରିକା ।ଗୋଟିଏ ପଟେ ଆଉଟଲୁକର ସମ୍ମାନ ଆଉଗୋଟିଏ ପଟେ ଇଣ୍ଡିଆ ଟୁଡେ ଦେଶର ଭଲ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ନବାଛିବା ଓଡିଶା ରାଜନୀତିରେ ଆରୋପ ପ୍ରତ୍ୟାରୋପର ସୁଯୋଗ ଦେଇଛି ।

ଦିଲ୍ଲୀର ଏହି ମିଡିଆ ପଲିଟିକ୍ସ ଭିତରେ ରାଜ୍ୟ ରାଜନୀତି ବି ପ୍ରଭାବିତ ହୋଇଛି । କୁହାଯାଉଛି ତୁଙ୍ଗ ନେତାଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପାଇବା ପରେ ଏହା ତାଙ୍କ ଭାବମୂର୍ତିିକୁ ଆହୁରି ବଢାଇଥିବା ଦର୍ଶାଇ ବିଜେଡି ତିଆରି କରିଛି ସ୍ୱତନ୍ତ୍ର ରଣନୀତି । ଆୱାର୍ଡ ଜିତିବା ପରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଜରିଆରେ ନବୀନ, କର୍ମୀଙ୍କୁ ପୁଣି କ୍ରିୟାଶୀଳ କରିବା ସହ ଲୋକଙ୍କ ଆସ୍ଥା ଭାଜନ ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।