କୁକୁଡା ଗାଡ଼ିରୁ ଲୁଟ୍ ! ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା କୁକୁଡା ଗାଡି । ଅଖାରେ ପୁରାଇ କୁକୁଡା ବୋହିନେଲେ ଲୋକେ

791

କନକ ବ୍ୟୁରୋ : ରାସ୍ତାକଡରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି । ଗାଡି ଚାରିପଟେ ଜମିଗଲା ଲୋକଙ୍କ ଭିଡ଼ । ଦେଖିଲେ ଲାଗୁଥିଲା ଯେମିତି, ଗାଡିରେ ଫସିଥିବା ଡ୍ରାଇଭର କି ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ଲୋକେ ତତ୍ପର ହୋଇ ଉଠିଛନ୍ତି । କିନ୍ତୁ ପ୍ରକୃତରେ ଘଟଣା ସେୟା ନୁହେଁ, ସେମାନଙ୍କ ଆଡକୁ କାହାର ନଜର ନଥିଲା । ସମସ୍ତେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କୁକୁଡ଼ା ଵୋହି ନେଵାକୁ ଭିଡ଼ ଜମାଇଥିଲେ । କିଏ ଦୁଇ ହାତରେ ଦୁଇ, ଚାରି କୁକୁଡ଼ା ନେଇ ଯାଉଥିଲା ତ କିଏ ବସ୍ତାରେ ଭର୍ତ୍ତି କରୁଥିଲା ।

ଆଜି ସକାଳେ ଭଷ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡ଼ା ବୋଝେଇ ଗାଡ଼ି ଓଲଟି ପଡ଼ିବା ପରର ଦୃଶ୍ୟ ଥିଲା ଏମିତି । ଝାରସୁଗୁଡାରୁ କୁକୁଡ଼‌ା ନେଇ ସୁନ୍ଦରଗଡ ଆସୁଥିବା ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସୌଭାଗ୍ୟକୁ ଡ୍ରାଇଭରଙ୍କର କିଛି କ୍ଷତି ହୋଇ ନାହିଁ । ତେଵେ ଗାଡ଼ି ଓଲଟି ପଡ଼ିବା ପରେ ସ୍ଥାନୀୟ ଲୋକେ ଗାଡ଼ିର ଡ୍ରାଇଭରଙ୍କ ଅବସ୍ଥା ନ ଦେଖି କୁକୁଡ଼ା ସବୁ ବୋହି ନେଇଯାଉଥିବାର ଦେଖିବାକୁ ମିଳିଥିଲା ।

ଏପରିକି ଲୋକେ ବ୍ୟାଗ, ବସ୍ତା ଅ।ଦିରେ କୁକୁଡ଼ା ନେଇ ପଳେଇଥିଲେ । ନିଜ ମାନବିକତାକୁ ଭୁଲି ଯାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କୁକୁଡ଼ା ଵୋହି ନେବାରେ ଲୋକେ ବ୍ୟସ୍ତ ରହିଵା ଦୃଶ୍ୟ ଆଲୋଡନ ସୃଷ୍ଟି କରିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଦୌଡ଼ି ପଳାଇଥିଲେ । ଏହାର ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।