ରାଜ୍ୟ ଅର୍ଥନୀତିରେ ସଞ୍ଜିବନୀ ଭରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଆଗତ । ସ୍ୱାସ୍ଥ୍ୟ ବିଭାଗକୁ ଫୋକସ୍ ।

92

କନକ ବ୍ୟୁରୋ: କରୋନା ମାଡ଼ରେ ବେହାଲ ହୋଇଥିବା ଓଡ଼ିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜୋର ଦେଇଛନ୍ତି ସରକାର । ସରକାର ବିଶ୍ୱାସ କରୁଛନ୍ତି, ଶିଳ୍ପ ଏବଂ ଭିତିଭୂମି କ୍ଷେତ୍ରରେ ବିନିଯୋଗ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଲୋକଙ୍କ ପକେଟକୁ ଟଙ୍କା ଆସିବ । ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ଆବଂଟନ କରି ସରକାର ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।

ନଜର ପକାନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗ ଉପରେ… 

୨୦୨୧-୨୨ ପାଇଁ ରାଜ୍ୟ ସରକାର ମୋଟ ଖର୍ଚ୍ଚ କରିବେ ୧ ଲକ୍ଷ ୭୦ ହଜାର କୋଟି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୯ ପ୍ରତିଶତ ଅଧିକ ବ୍ୟୟବରାଦ କରି ୯,୧୬୪ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରହିଛି ୧,୩୫୩ କୋଟି ଟଙ୍କା ।

ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସ୍ ପ୍ରତିଷ୍ଠାନ ପାଇଁ ମୋଟ ୩,୫୦୦ କୋଟିର ପ୍ରସ୍ତାବ ରହିଥିବା ବେଳେ ୫୦୦ କୋଟି ଆବଂଟନ ହୋଇଛି । କାଳିଆ ଯୋଜନା ପାଇଁ ୧୮୦୦ କୋଟିର ବ୍ୟୟବରାଦ କରି ସରକାର ରାଜ୍ୟର ଚାଷୀମାନଙ୍କ କାଳିଆ ଆଶାକୁ ଉଜୀବିତ ରଖିଛନ୍ତି । କୃଷି କ୍ଷେତ୍ରରେ ସରକାର ମୋଟ ଖର୍ଚ୍ଚ କରିବେ ୧୭,୪୬୯ କୋଟି ଟଙ୍କା । ସବୁଠୁ ଅଧିକ ଖର୍ଚ୍ଚ ହେବ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ । ମୋଟ ବ୍ୟୟବରାଦ ରହିଛି ୨୪, ୩୭୦ କୋଟି ଟଙ୍କା ।