ସାରା ରାଜ୍ୟରେ ତେଲ ଦର ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ : ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ବାଧାପ୍ରାପ୍ତ

78

କନକ ବ୍ୟୁରୋ : ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ କରୁଛି । କଟକ ଜିଲ୍ଲା ନିଆଳିରେ କଂଗ୍ରେସ କର୍ମୀ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ଚାରିଛକ-ଫୁଲନଖରା ରାସ୍ତାରେ ପ୍ରତିବାଦ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୂଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ନିଆଳିରେ ସଂପୂ୍ଣ୍ଣ ପ୍ରଭାବ ପଡିଛି । ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସର ସଦଶ୍ୟ ଶଶୀକାନ୍ତ ଲେଙ୍କା ଆହ୍ୱାନକ୍ରମେ ବହୁ କଂଗ୍ରେସ କର୍ମୀ ବନ୍ଦ ପାଳନରେ ଯୋଗଦେଇ ଏକ ବାଇକ ରାଲି କରିଛନ୍ତି । ଏହାକୁ ଦୁଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି ସମସ୍ୟା  ବିରୋଧରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଂଚଳରେ ପଡିଛି । ସେହିପରି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ଅବରୋଧ କରି କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି । ତୈଳଦର ରନ୍ଧନ ଗ୍ୟାସ ଦର ଓ ବିଭିନ ଦରଦାମ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ପିକେଟିଂ ଦେଖାଦେଇଛି । ଜିଲ୍ଲାର ବେଗୁନିଆ, ବୋଲଗଡ଼, ବାଣପୁର, ଟାଙ୍ଗି, କୁହୁଡି, ଜଟଣୀରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଓଡିଶା ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବେସ୍ ମାତ୍ରାରେ ଦେଖିବାକୁ ମିଳିଛି । ଜିଲ୍ଲାର ସଦର ମହୁକୁମା ବାରିପଦା ଠାରେ ଆଜି ସକାଳ ୭ ଘଟିକା ଠାରୁ ଜିଲ୍ଲା କଂଗ୍ରେସ କମିଟି,ବାରିପଦା ପକ୍ଷରୁ ଅନେକ କଂଗ୍ରେସ କର୍ମୀମାନେ ସହରର ମୁଖ୍ୟ ରାସ୍ତା ୧୮ନଂ ଜାତୀୟ ରାଜପଥର ମୁର୍ଗାବାଡି,ପାଲବଣୀ ଗୋଲେଇ ସମେତ ବିଭିନ୍ନ ଜାଗାରେ ପିକେଟିଂ କରିବାସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଶେଷ ଭାବରେ କହିବାକୁ ଗଲେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ଏହାକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଗାଡି ମୋଟର,ଦୋକାନ ବଜାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ରାଉରକେଲାରେ ବି ପଡ଼ିଛି l ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପାନପୋଷ ଗାନ୍ଧୀ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି। ବାହାର ରାଜ୍ୟକୁ ଯାତାୟତ କରୁଥିବା ବସଗୁଡ଼ିକ ବସଷ୍ଟାଣ୍ଡରେ ଅଟକି ରହିଛି । ଶତାଧିକ ଯାତ୍ରୀ ଅଟକି ରହିଛନ୍ତି। ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣେ ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ କଂଗ୍ରେସ କର୍ମୀ ଓ ନେତାମାନେ ରାସ୍ତା ଅବରୋଧ କରିଛନ୍ତି।