ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ : କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ
କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଜାରି ରହିଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଆସିଥିବାର ଦେଖିବାକୁ ମିଳିଛି। ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିର ପ୍ରମୂଖ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ରାଉରକେଲାରେ ବି ପଡ଼ିଛି l ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ପାନପୋଷ ଗାନ୍ଧୀ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି। ବାହାର ରାଜ୍ୟକୁ ଯାତାୟତ କରୁଥିବା ବସଗୁଡ଼ିକ ବସଷ୍ଟାଣ୍ଡରେ ଅଟକି ରହିଛି । ଶତାଧିକ ଯାତ୍ରୀ ଅଟକି ରହିଛନ୍ତି। ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣେ ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ କଂଗ୍ରେସ କର୍ମୀ ଓ ନେତାମାନେ ରାସ୍ତା ଅବରୋଧ କରିଛନ୍ତି।