ମାଟ୍ରିକ ପରୀକ୍ଷା ପାଇଁ ଗୋଟିଏ ଦିନ ପୂର୍ବରୁ ଯିବ ପ୍ରଶ୍ନପତ୍ର ! ଚାଷୀ ଆନ୍ଦୋଳନ ପାଇଁ ତତ୍ପରତା ।

624

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ ପରୀକ୍ଷା) । ତେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । ଆଉ ଏହି ବନ୍ଦକୁ ଦୃଷ୍ଟିରେ ରଖି ପରୀକ୍ଷୀ ସଂକ୍ରାନ୍ତରେ ପ୍ରଶ୍ନ ପତ୍ର ଏବଂ ଉତ୍ତର ଖାତା ସମସ୍ତ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର ଗୋଟିଏ ଦିନ ଆଗରୁ ଅର୍ଥାତ ୨୧ ତାରିଖ ଦିନ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମୟରେ ରାସ୍ତା ଅବରୋଧ ସହିତ ଯାନବାହାନ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେବେ ଏହା ପର ଦିନ ମାଟ୍ରିକ ପରୀକ୍ଷା ଥିବାରୁ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରମାନଙ୍କୁ ଯାତାୟତ କରିବେ । ଏଣୁ ପରୀକ୍ଷାର୍ଥୀ ମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରାରୁ ନିବୃତ୍ତ ରହିବା ପାଇଁ ସରକାର ଅନୁରୋଧ କରିଛନ୍ତି ।