ଫୋର୍ବସ ତାଲିକାରେ ଓଡିଶାର ଆଶାକର୍ମୀ । ଅନ୍ଧବିଶ୍ୱାସ ଏବଂ ଲୋକଙ୍କୁ ସଚେତନ କରାଇ ସାମିଲ ହେଲେ ଫୋର୍ବସ ତାଲିକାରେ ।

447

କନକ ବ୍ୟୁରୋ : ସେ ଜଣେ ଆଶାକର୍ମୀ । କିନ୍ତୁ ତାଙ୍କର ବଡ ହୃଦୟ ତାଙ୍କୁ ବିଶ୍ୱରେ ପରିଚୟ ଦେଇଛି । ଦେହ ଖରାପ ହେଲେ ଗୁଣି ଗାରେଡିକୁ ଯେଉଁ ଗାଁ ଭରସା କରୁଥିଲେ ସେହି ଗାଁକୁ ଏହି ଆଦିବାସୀ ମହିଳା ଦେଖାଇଛନ୍ତି ହସ୍ପିଟାଲର ରାସ୍ତା । ଆଉ ଏବେ ସେହି ଗାଁ ଗୁଣି ଗାରେଡିଠୁ ବହୁ ଦୂରରେ । ଏହି ମହିଳା ଜଣଙ୍କ ହେଉଛନ୍ତି ସୁନ୍ଦରଗଡର ଆଶାକର୍ମୀ ମାତିଲଦା କୁଲୁ । ଯିଏକି ଏବେ ଫୋର୍ବସ ତାଲିକାରେ ସାମିଲ୍ ହୋଇ ସାରା ଦୁନିଆରେ ପରିଚୟ ପାଇଛନ୍ତି ।

ଆଗଧାଡିର କୋଭିଡ୍ ଯୋଦ୍ଧା ଭାବେ ମହାମରୀ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନ୍ଦରଗଡ ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି । ଗତ ୧୫ ବର୍ଷ ଧରି ମାତିଲଦା ବଡଗାଁ ବ୍ଲକ ଗରଗଡବାହାଲ ଗାଁ ର ଆଶାକର୍ମୀ ଭାବେ କାର୍ଯ୍ୟକରିଆସୁଛନ୍ତି । ଅନ୍ଧ ବିଶ୍ୱାସ ଏବଂ ଜାତିବାଦ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ଫୋର୍ବସ ତାଲିକାରେ ଆଶାକର୍ମୀ ମାତିଲଦା କୁଲୁ । ଦେଶରେ ଅନେକ ଆଶାକର୍ମୀ ରହିଛନ୍ତି । ହେଲେ ସୁନ୍ଦରଗଡ ବଡ ଗାଁ ବ୍ଲକ ଗରଗଡବାହାଲର ମାତିଲଦାଙ୍କ ନିଷ୍ଠା ଏବଂ କର୍ମ ପାଇଁ ଭିଡ ଭିତରୁ ବାରି ହୋଇପଡିଛନ୍ତି । ବୟସ ପାଖାପାଖି ୪୫, ଆଜିକୁ ଠିକ୍ ୧୫ ବର୍ଷ ପୂର୍ବେ ଏହି କାମରେ ମାତିଲଦା ନିଜକୁ ସାମିଲ୍ କରିଥିଲେ । ଯାହାକି ତାଙ୍କୁ ଫୋର୍ବସ୍ ଇଣ୍ଡିଆରେ ସ୍ଥାନିତ ହେବାକୁ ସୁଯୋଗ ଦେଇଛି ।

ଆଶାକର୍ମୀ ଭାବରେ ମାତିଲଦାଙ୍କ ଦାୟିତ୍ୱ ପ୍ରଥମ ଆରମ୍ଭ ହୋଇଥିଲା ବଣପାହାଡ ଘେରା ଆଦିବାସୀ ଗାଁ ଗରଗଡବାହାଲରୁ । ଗର୍ଭବତୀ ମହିଳାଙ୍କ ଦାୟିତ୍ୱ ତୁଲାଉ ତୁଲାଉ ମାତିଲଦା ଅନ୍ଧବିଶ୍ୱାସ ଦୂର କରିବା ଦିଗରେ ଆରମ୍ଭ କରିଥିଲେ ସଚେତନତା ଅଭିଯାନ । ସାଇକଲରେ ଗାଁ ଗାଁକୁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ନୀରିକ୍ଷଣ କରନ୍ତି । ସେତେବେଳେ ମେଡିକାଲ ବଦଳରେ ଝଡାଫୁଙ୍କା ପାଇଁ ଗୁଣିଆ ପାଖକୁ ଲୋକେ ଯାଉଥିଲେ । ହେଲେ ମାତିଲଦାଙ୍କ ପ୍ରୟାସ ଅନେକଙ୍କୁ ଠିକ୍ ବାଟ ଦେଖାଇଛି । ଏମିତିକି କୋଭିଡ ଟିକା ବିଷୟରେ ଲୋକଙ୍କୁ ଜାଗୃତ କରି ସେ ଆଜି ଦୁନିଆରେ ପରିଚିତ ହୋଇଛନ୍ତି ।
ମାତିଲଦା ଯଦି ନିଜକୁ ଏକ ଛୋଟ କର୍ମଚାରୀ ଭାବି କେବଳ ନିଜର ଦାୟିତ୍ୱ ସମ୍ପାଦନ କରିଥାନ୍ତେ ତାହାଲେ ହୁଏତ ଆଜି ସେ ଏହି ସ୍ଥାନରେ ନଥାନ୍ତେ । କିନ୍ତୁ ତାଙ୍କର ମାନବିକତା ଏବଂ ସମାଜ ସଂସ୍କାର ଦିଗରେ ଥିବା ନିଜସ୍ୱ ଚିନ୍ତାଧାରା ଆଜି ତାଙ୍କୁ ଏହି ସମ୍ମାନ ଦେଇଛି ।