କାତାରରେ ଭିକ ମାଗୁଛି ଓଡ଼ିଆ ଶ୍ରମିକ । ଉଦ୍ଧାର ପାଇଁ ବାପାମାଆଙ୍କ ନିବେଦନ ।

615

କନକ ବ୍ୟୁରୋ: କାନ୍ଦି କାନ୍ଦି ମାଆ ଆଖିର ଲୁହ ଶୁଖୁନି । ବାପା ବି ଗୁମୁରି ଗୁମିରି କାନ୍ଦି ଗାମୁଛାରେ ଲୁହ ପୋଛୁଛି । ବିଦେଶରେ ଖଟୁଥିବା ଭେଣ୍ଡିଆ ପୁଅ ଅସୁବିଧାରେ ପଡି ଭିକ ମାଗୁଛି । ଆଉ ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ଆଗରେ ଏଭଳି ନିବେଦନ କରୁଛନ୍ତି ବୁଢା ବାପା, ମାଆ ।  ଘର ସ୍ଥିତି ସୁଧାରିବା ପାଇଁ ପୁଅ ଯାଇଥିଲା ସୁଦୂର କାତାର । ହେଲେ କମ୍ପାନୀ କାମ କରିବା ପରେ ପ୍ରାପ୍ୟ ନଦେଇ ବାହାର କରିଦେଲା । ସେଠାରେ ମୋବାଇଲ, ଭିସା, ପାସପୋର୍ଟ ହଜିବା ପରେ ପୋଲିସ ବାନ୍ଧିନେଲା, ଆଉ ଜେଲରେ ୨ ମାସ ରହିବା ପରେ ଘରକୁ ଫେରିବା ପାଇଁ ବିଦେଶରେ ଭିକ୍ଷା ବୃତ୍ତି କରୁଛନ୍ତି ଓଡିଆ ଶ୍ରମିକ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ୮ ନଂ ୱାର୍ଡ ଶ୍ୟାମସୁନ୍ଦରପୁର ଗାଁର ବିଷ୍ଣୁପ୍ରସାଦ ଡାକୁଆ । କାମଧନ୍ଦା କରିବା ପାଇଁ ଦେଶ ଛାଡି କାତାର ଯାଇଥିଲେ । ସେଠାରେ ବର୍ଷେ କାମ କରିବା ପରେ କମ୍ପାନୀ ମାତ୍ର ୬ ମାସର ଦରମା ଦେଇ କ୍ୟାମ୍ପରୁ ବାହାର କରିଦେଲା । କମ୍ପାନୀରେ କାମ କରିବା ପୂର୍ବରୁ ଚୁକ୍ତି ଅନୁଯାୟୀ ଦୁଇ ବର୍ଷ କାମ କରିବା ପରେ ନିଜ ଖର୍ଚ୍ଚରେ ତାଙ୍କୁ ଘରକୁ ପଠାଇବ କହିଥିଲା । ହେଲେ, ବକେୟା ଟଙ୍କା ନ ଦେଇ ବିଷ୍ଣୁଙ୍କୁ ତଡିଦେଲା କମ୍ପାନୀ । କ୍ୟାମ୍ପରେ ସବୁ ହଜିଯାଇଥିବା  ବେଳେ ବିନା ପାସପୋର୍ଟରେ ସେ ଏଣେତେଣ ବୁଲିଲେ । ପୋଲିସ ତାଙ୍କୁ ବାନ୍ଧି ନେଇ ଜେଲରେ ପୂରାଇ ଦେଲା ।

ଦୁଇମାସ ଜେଲରେ ରଖିବା ପରେ ପୁଣି ଆଣି ସେଠାରେ ଛାଡି ଦେଲା । ତେବେ, ପାଖରେ ଟଙ୍କା ନଥିବାରୁ ସେ ଆଉ ଘରକୁ ଫେରିପାରୁନାହାନ୍ତି । ମୁଣ୍ଡ ଗୁଞ୍ଜିବାପାଇଁ ଛାତ ନାହିଁ, ପେଟର ଭୋକ ମେଣ୍ଟାଇବା ପାଇଁ ବିଦେଶରେ ଭିକ ମାଗୁଛନ୍ତି ବିଷ୍ଣୁ । ଜଣେ ଭାରତୀୟ ତାଙ୍କୁ ଦେଖିବା ପରେ ସେ ପରିବାର ସହ କଥା ହୋଇ ଫେରାଇ ନେବାକୁ ଅନୁରୋଧ କରିଛନ୍ତି ।

ବିଷ୍ଣୁଙ୍କ ବାବଦରେ ଖବର ପାଇ ପରିବାର ଲୋକ ବ୍ୟସ୍ତ ହୋଇପଡିଛନ୍ତି । କୋଦଳା ଅଞ୍ଚଳରେ ଜଣେ ଶ୍ରମିକଙ୍କ ପାଖରେ ବର୍ତ୍ତମାନ ବିଷ୍ଣୁ ରହିଛନ୍ତି । ତେବେ ପାଖରେ ଭିସା କି ପାସପୋର୍ଟ ନଥିବାରୁ ଦିନ ସାରା ବାହାରେ ବୁଲୁଥିବା ବେଳେ ରାତିରେ କ୍ୟାମ୍ପରେ ଲୁଚି ରହିବାକୁ ପଡୁଛି । ଏନେଇ ପରିବାର ଲୋକ ଜିଲ୍ଲାପ୍ରଶାସନ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିବା ବେଳେ ଶୀଘ୍ର ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।

କେମିତି ଘରକୁ ଫେରିବେ ବିଷ୍ଣୁ । ପରିବାର ପାଇଁ ବିଦେଶ ଯାଇଥିଲେ ରୋଜଗାର କରିବାକୁ ହେଲେ ସେ ଜାଣିନଥିଲେ ତାଙ୍କୁ ଏଭଳି ଦିନ ଦେଖିବାକୁ ପଡିବ । ଜିଲ୍ଲା ପ୍ରଶାସନ ଶୀଘ୍ର ତାଙ୍କୁ ଫେରାଇ ଆଣିଲେ ପୁଣି ପରିବାର ମୁହଁରେ ହସ ଖେଳିବ ।