ଆନ୍ଧ୍ର ସ୍କୁଲ ମୁହାଁ ଓଡିଶା ପିଲା । ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲରେ ପଢୁଛନ୍ତି ସୀମାନ୍ତ ଅଞ୍ଚଳର ଓଡିଆ ପିଲା ।

127

କନକ ବ୍ୟୁରୋ: ଗୋଟିଏ ପଟେ ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରୁଥିବା ନେଇ ତମ୍ବି ତୋଫାନ ଆରମ୍ଭ ହୋଇଛି । ଅନ୍ୟପଟେ କିନ୍ତୁ ଆନ୍ଧ୍ର ସ୍କୁଲ ମୁହାଁ ହେଉଛନ୍ତି ଓଡିଶା ପିଲା । ଆନ୍ଧ୍ରର ସରକାରୀ ସ୍କୁଲର ବିଭିନ୍ନ ଯୋଜନା ଓଡିଶାର ପିଲାଙ୍କୁ ଆକର୍ଷିତ କରୁଛି । ଆମ୍ମାବଡି ଯୋଜନାରେ ପିଲାଙ୍କ ମାଆଙ୍କ ଖାତାକୁ ସିଧା ସଳଖ ୧୫ ହଜାର ଟଙ୍କା ଆସୁଥିବାରୁ ଆନ୍ଧ୍ର ସରକାରୀ ସ୍କୁଲ ପ୍ରତି ଆକର୍ଷଣ ବଢିଛି । ଗୋଟିଏ ପଟେ କରୋନା କଟକଣା ପାଇଁ ଓଡିଶାରେ ସ୍କୁଲ ବନ୍ଦ ଅଛି, ସେପଟେ କିନ୍ତୁ ଆନ୍ଧ୍ରରେ ସ୍କୁଲ ଖୋଲି ପାଠ ପଢା ଆରମ୍ଭ ହେଲାଣି । ଗଂଜାମ ପାତ୍ରପୁର ଅଂଚଳର ଏମିତି ପ୍ରାୟ ୪ ଶହ ଓଡିଆ ପିଲା ଏବେ ଆନ୍ଧ୍ର ସରକାରୀ ସ୍କୁଲରେ ପାଠ ପଢୁଛନ୍ତି ।

ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ମଣ୍ଡଳର କୋଟା ଶାସନମ ଗାଁର ଜିଲ୍ଲା ପରିଷଦ ହାଇସ୍କୁଲ । ଯେଉଁ ସ୍କୁଲରେ ପ୍ରାୟ ୪୩୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆନ୍ଧ୍ରରେ କାହିଁକି ପାଠ ପଢୁଛନ୍ତି ଓଡିଆ ପିଲା?
କେଉଁଠି ରହିଲା ଅସୁବିଧା?

ଆନ୍ଧ୍ରରେ କଣ ମିଳୁଛି ସୁବିଧା, ଯାହାକୁ ନେଇ ପିଲାମାନେ ଓଡିଶା ଛାଡି ପଡୋଶୀ ରାଜ୍ୟରେ ପାଠ ପଢିବାକୁ ଆଗ୍ରହୀ ହେଉଛନ୍ତି । ଆନ୍ଧ୍ରରେ ପାଠ ପଢାର ମାନ ଉନ୍ନତ ଥିବା ବେଳେ ଓଡିଶାର ତେଲୁଗୁ ଭାଷା ଭାଷୀ ଲୋକଙ୍କ ପାଇଁ ନିଜ ଭାଷାରେ ପାଠପଢିବାର ସୁଯୋଗ ମିଳୁଛି । ସୀମାନ୍ତରେ ଥିବା ଓଡିଶାର ତେଲୁଗୁ ସ୍କୁଲରେ ଆବଶ୍ୟକୀୟ ମୌଳିକ ସୁବିଧା ମିଳୁ ନଥିବା ଅଭିଯୋଗ ହେଉଛି । ଏହା ସହ ଆନ୍ଧ୍ର ସରକାରଙ୍କ ଯୋଜନାରେ ପ୍ରତି ପିଲାଙ୍କୁ ମାଗଣା ବହିପତ୍ର ସହ ମିଳୁଛି ମାଗଣା ଜୋତା ଓ ପୋଷାକ । ପୂର୍ବ ସରକାରଙ୍କ ଯୋଜନାରେ ପ୍ରତି ଛାତ୍ରୀଙ୍କୁ ମାଗଣା ସାଇକେଲ ମିଳିଛି ।

ଅନ୍ୟପଟେ ଦୂରବର୍ତ୍ତୀ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ବସରେ ଯାତାୟତ ସୁବିଧା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆନ୍ଧ୍ର ସରକାରଙ୍କ ଯୋଜନାରେ ପିଲାଙ୍କୁ ମିଳୁଥିବା ମଧ୍ୟାହ୍ନ ଭୋଜନ ବେଶ୍ ଉନ୍ନତମାନର । ପିଲାଙ୍କୁ ସପ୍ତାହରେ ୫ଟି ଅଣ୍ଡା ଦିଆଯାଉଥିବା ବେଳେ ଖେଚୁଡି, ବରିଆନୀ, ପଲଉ, ଆଳୁ କୁର୍ମା ପରି ଖାଦ୍ୟ ପରସା ଯାଇଥାଏ । ଏହା ସହ ପ୍ରତି ପିଲାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରଖିଛନ୍ତି ଆନ୍ଧ୍ର ସରକାର ।