ବିଦେଶରେ ଓଡିଆ ପୁଅଙ୍କ କମାଲ । ପ୍ରଦୂଷଣକୁ ରୋକିବା ପାଇଁ ନିର୍ମାଣ କଲେ ଆଧୁନିକ ମୋଟର ଇଞ୍ଜିନ, କାନାଡାରେ ହେଲେ ସମ୍ମାନିତ

41

କନକ ବ୍ୟୁରୋ : ସାରା ବିଶ୍ୱରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଥିଲା ବେଳେ ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଜଣେ ଓଡିଆ ଯୁବକ ଆମେରିକାରେ ଶକ୍ତି ସଂରକ୍ଷଣ ଓ ପ୍ରଦୂଷଣକୁ ରୋକିବା ପାଇଁ ଆଧୁନିକ ମୋଟର ଇଞ୍ଜିନ ପ୍ରଯୁକ୍ତ ବିଦ୍ୟା ଜ୍ଞାନ କୌଶଳ ପାଇଁ ଚଳିତ ବର୍ଷ କାନାଡାରୁ ପୁରସ୍କୃତ ହୋଇଛନ୍ତି ।

କନାଡାରରୁ ମଂନଟ୍ରିଏଲ ଠାରେ ଆମେରିକାନ ସୋସାଇଟି ଅଫ ମେକାନିକାଲ ଇଂଜିନିୟର୍ସ ପକ୍ଷରୁ ଆୟୋଜିତ ମିଳିତ ୟୁଏସ ୟୁରୋପିଆନ ଫ୍ଲୁଇଡସ୍ ଇଂଜିନିୟରିଂ ସମ୍ମିଳନୀରେ ଲୁଇସ୍ ଏଫ ମୋଡି ଆୱାର୍ଡରେ ଓଡ଼ିଆ ପୁଅ ଚିନ୍ମୟ ମହାପାତ୍ର ସମ୍ମାନିତ ହୋଇଛନ୍ତି । ଆଉ ଏହାସହ ବିଦେଶରେ ସମ୍ମାନିତ ହୋଇ ରାଜ୍ୟ ତଥା ଦେଶକୁ ଗୌରବାନିତ୍ୱ କରିଛନ୍ତି ।

ସୋର ମ୍ୟୁନିସିପାଲଟି ରାଇପୁର ଗ୍ରାମର ରାଧାକୃଷ୍ଣ ମହାପାତ୍ରଙ୍କ ପୁଅ ଚିନ୍ମୟ ମହାପାତ୍ର ଏନଆଇଟି ରାଉକେଲାରୁ ମେକାନିକାଲ ଇଂଜିନିୟରିଂରେ ପାସ୍ ହୋଇଥିଲେ । ପରେ ଉଚ୍ଚଶିକ୍ଷା ପାଇଁ ୨୦୧୩ ମସିହାରେ ଆମେରିକାର ସିନସିନାଟି ବିଶ୍ୱବିଦ୍ୟାଳୟରେ ମାଷ୍ଟର ଇନ ସାଇନ୍ସରେ ନାମ ଲେଖାଇଥିଲେ । ଏବେ ସେ ମାସାଚ୍ୟୁସେଟରେ ଆମର୍ହଷ୍ଟ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଛନ୍ତି । ଗତ ଜୁଲାଇ ୨୦ ମିଳିତ ୟୁଏସ ୟୁରୋପିଆନ ଫ୍ଲୁଇଡସ୍ ଇଂଜିନିୟରିଂ ସମ୍ମିଳନୀରେ ଫୁଏଲ ଇଂଜେକ୍ସନ ସିଷ୍ଟମ ଦ୍ୱାରା ଅଳ୍ପ ଶକ୍ତିରେ ଇଂଞ୍ଜିନ ଚାଲିବା ଓ ପ୍ରଦୂଷଣ ରୋକିବା ଓ ଏହାର ଯନ୍ତ୍ରାଂଶ ନିର୍ମାଣ କରିବା ପାଇଁ ଲୁଇସ ଏଫ ମୋଡି ଆୱାର୍ଟରେ ସମ୍ମାନିତ ହୋଇଛନ୍ତି । ଯାହାକୁ ନେଇ ପୂରା ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ବର୍ତମାନ ଚିନ୍ମୟ ଆମେରିକାସ୍ଥ ମାସାଚ୍ୟୁସେଟ ସହର ଆମର୍ହଷ୍ଟ ବିଶ୍ୱବିଦ୍ୟାଳୟରେ ଗବେଷଣାରତ । ଆଗକୁ ସେ ବିଶ୍ୱ ପ୍ରଦୂଷଣ ରୋକିବାକୁ କାର୍ୟ୍ୟ କରିବା ପାଇଁ ନିଜର ଗବେଷଣାକୁ ଆହୁରି ଆଗକୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କୁ ଗବେଷଣାରେ ସହଯୋଗ କରିବାକୁ ଟୟୋଟା, ଜେନରାଲ ମୋଟର୍ସ, ଫେଡ୍ରେରାଲ ଲ୍ୟାବ ପାଟନର୍ସ ଅର୍ଗାନ, ଏଗ୍ରୋନ ନେସନାଲ ଲ୍ୟାବ ଏବଂ ସାଣ୍ଡିଆ ନାସନାଲ ଲ୍ୟାବ ଆଗେଇ ଆସିଛନ୍ତି । ଚିନ୍ମୟଙ୍କ ଏଭଳି ସଫଳତା ବାଲେଶ୍ୱର ଜିଲ୍ଲା ସହ ଯୁବପିଢୀଙ୍କୁୁ ପ୍ରେରଣା ଯୋଗାଇବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।