ନାଇଜେରିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଞ୍ଚରାତ୍ର ମହୋତ୍ସବ ପାଳିତ

216

କନକ ବ୍ୟୁରୋ: ସୁଦୂର ଆଫ୍ରିକା ମହାଦେଶ ଅନ୍ତର୍ଭୁକ୍ତ ନାଇଜେରିଆ ଦେଶରେ ଶ୍ରୀଜଗନ୍ନାଥ ମନ୍ଦିରର ପାଞ୍ଚବର୍ଷ ପୂର୍ତ୍ତି ଅବସରରେ ପଞ୍ଚରାତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥଙ୍କ ଏହି ମହାପର୍ବ ଓଡ଼ିଆ ସମାଜ ଆସୋସିଏସନ ଅଫ ନାଇଜେରିଆ–OSAN ଦ୍ୱାରା ଏପ୍ରିଲ୧୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ଯାଏଁ ଅନୁଷ୍ଠିତ ହେଇଥିଲା । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଗତ ଏପ୍ରିଲ୧୩ ତାରିଖରେ ପ୍ରବାସୀ ଭାରତୀୟ ମହିଳାମାନଙ୍କୁ ନେଇ ୧୦୮ପୂର୍ଣ୍ଣ କୁମ୍ଭଯାତ୍ରାରୁ ଏହାର ଶୁଭାରମ୍ଭ ହେଇ ୧୭ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର ପାରାୟଣ ତଥା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା ।

ଏହି କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ,କଟକ, ଓଡିଶାର ଆଚାର୍ଯ୍ୟ ସ୍ଵାମୀ କୃଷ୍ଣପ୍ରେମାନନ୍ଦ ସରସ୍ବତୀଙ୍କ ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ ଉପରେ ପ୍ରବଚନ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଶ୍ରୀଜଗନ୍ନାଥ ପ୍ରେମରେ ଅଭିଭୂତ କରିଦେଇଥିଲା।

ରବିବାର ସନ୍ଧ୍ୟାରେ ଏହି ମହୋତ୍ସବର ପୂର୍ଣାହୂତି ଦିଆଯାଇଛି । ଓଡିଶାରୁ ପୁରୋହିତମାନେ ନାଇଜେରିଆ ଯାଇ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ମୁତାବକ ଏହି ପୂଜାକର୍ମକୁ ସଫଳ ରୂପେ ସମ୍ପାଦନ କରିଛନ୍ତି । ରବିବାର ସନ୍ଧ୍ୟାରେ ପୁରୀ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଭକ୍ତମାନଙ୍କୁ ଆଭାସୀ ଜରିଆରେ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ । ବିଦେଶରେ ରହି ମଧ୍ୟ ପ୍ରଭୁଶ୍ରୀଜଗନ୍ନାଥଙ୍କର ମହିମା ପ୍ରଚାର କରୁଥିବାରୁ ଗଜପତି ଆନନ୍ଦ ପ୍ରକାଶ କରିଥିଲେ । ସାତ ଦରିଆପାରିରେ ରହି ନିଜ ଜନ୍ମ ମାଟିର ମହତ୍ୱ, ଗୌରବମୟ ଉତ୍କଳର ପାରମ୍ପରିକ ସମ୍ମାନକୁ ଅଖୁର୍ଣ୍ଣ ରଖିବା ପାଇଁ OSAN ସଂଗଠନର ଏହି ପ୍ରଚେଷ୍ଠା ନିଃସନ୍ଦେହରେ ପ୍ରଂଶସନୀୟ ।

OSAN ର ସଭାପତି ହିମାଂଶୁ ଶେଖର ମହାପାତ୍ର, ପୂର୍ବତନ ସଭାପତି ଅଶୋକ ନାୟକ, ଉପସଭାପତି ରମେଶମଲିକ, ସହ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ, ପୂର୍ବତନ ସମ୍ପାଦକ ଶରତ ସାହୁ, ବରିଷ୍ଠ ସଦସ୍ୟ ରମେଶ ବିଶ୍ୱାଳ, ନିରଞ୍ଜନ ମହାନ୍ତି, ଶେଖର କର, ବିଶ୍ୱଜିତ ପରିଜା, ସଂଗ୍ରାମ ପଟ୍ଟନାୟକ, କଳା ଏବଂ ସଂସ୍କୃତି ସମ୍ପାଦକ ସଞ୍ଜୟ ଦାସ, ବାର୍ଷିକ ମହୋତ୍ସବ ଉପାଧ୍ୟକ୍ଷ ପ୍ରଶାନ୍ତ ଦାସ, ସଦସ୍ୟ ଶ୍ରୀକାନ୍ତ ପଟ୍ଟନାୟକ, ସଞ୍ଜୟ ସାହୁ, ପ୍ରସନ ଜେନା, ଗଗନ ସମୁଦ୍ର, ଜଗନ୍ନାଥ ପାଣିଗ୍ରାହୀ, ସଂତୃପ୍ତ ଦାସ, ହାଡିବନ୍ଧୁ ରାଉତ, ରଜତ ରଥ, ପ୍ରଣବ ଶର୍ମା, ପ୍ରକାଶ ପ୍ରଧାନ, ନିହାର ସାମଲ, ସଂଗ୍ରାମ ନାୟକ ଇତ୍ୟାଦି ଏହି ସମାରୋହକୁ ପରିଚାଳନା କରିଥିଲେ ।