ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ହେଲା ଭାଇରାଲ: ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ଓଡ଼ିଆ ପ୍ରଶ୍ନ

୪ଟି ପରୀକ୍ଷା କେନ୍ଦ୍ରର ୮ ଜଣ ସସପେଣ୍ଡ୍

222

କନକ ବ୍ୟୁରୋ: ମୋତେ ଯେତେ ମାଠିବୁ ମାଠ୍, ମୁଁ ସେହି ଦରପୋଡ଼ା କାଠ୍ । ମାଟ୍ରିକ୍ ପରୀକ୍ଷା ପରିଚାଳନାକୁ ଦେଖିଲେ ହୁଏତ, ଏମିତି କିଛି ଲୋକ କଥା ମନକୁ ଆସିବା ସ୍ୱାଭାବିକ । ଆଜି ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି, ଆଉ ପ୍ରଥମ ଦିନରୁ ହିଁ ବିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ ଛାତ୍ରଛାତ୍ରୀ କେନ୍ଦ୍ର ଭିତରେ ପରୀକ୍ଷା ଦେଉଥିଲେ, ଆଉ ଗୋଟିଏ ପଟେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିଲା ପ୍ରଶ୍ନପତ୍ର । ତେବେ ଏହି ଘଟଣାକୁ ଅତି ଗୁରୁତର ଭାବରେ ନେଇଛି ବୋର୍ଡ । ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ୪ଟି ପରୀକ୍ଷା କେନ୍ଦ୍ରର ୪ ଜଣ ସୁପରିଟେଣ୍ଡଂଟ ଏବଂ ୪ ଜଣ ଇନ୍ଭିଜିଲେଟରଙ୍କୁ ସସ୍ପେଣ୍ଡ କରାଯାଇଛି । ନୂଅପଡ଼ା ଜିଲ୍ଲାର ୨ଟି ଏବଂ କୋରାପୁଟ ଓ ଢ଼େଙ୍କାନାଳର ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ରର ପରୀକ୍ଷା ପରିଚାଳକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।ଏ ହେଉଛି ସେହି ପ୍ରଶ୍ନପତ୍ର, ଯାହା ପରୀକ୍ଷା ଆରମ୍ଭର ମାତ୍ର ୧୫-୨୦ ମିନିଟ୍ ପରେ ଭାଇରାଲ୍ ହେବାରେ ଲାଗିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ଏହି ପ୍ରଶ୍ନପତ୍ର । ଆଜି ଥିଲା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନ, ମାତୃଭାଷା ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଯାହାକୁ ସ୍ୱୀକାର କରିଛନ୍ତି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ୍ । ପ୍ରଥମ ଦିନରେ ହିଁ ଗଣଶିକ୍ଷା ବିଭାଗ ଓ ବୋର୍ଡର ସମସ୍ତ ପ୍ରସ୍ତୁତି ଉପରେ ଉଠିଛି ବଡ଼ ଧରଣର ପ୍ରଶ୍ନ ।

ଏ ହେଉଛି ଅସଲି ପ୍ରଶ୍ନ ପତ୍ର । ଆଉ ଏ ହେଉଛି ଭାଇରାଲ ହୋଇଥିବା ପ୍ରଶ୍ନପତ୍ରର ଅଂଶ । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଉଛି । ମାତୃଭାଷା ସେଟ୍ ଏର ୩୩ରୁ ୪୪ଯାଏଁ ପ୍ରଶ୍ନପତ୍ର ଅସଲ ପ୍ରଶ୍ନପତ୍ର ସହ ସମାନ ରହିଛି । ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୋର୍ଡ ଅଧ୍ୟକ୍ଷା ଜାହାନାରା ବେଗମ୍ । ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ଗୁଜବ ବୋଲି କହିଛନ୍ତି । ଯଦି ପ୍ରଶ୍ନପତ୍ର ଲିକ ହୋଇଥାଏ ତଦନ୍ତ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

କେବଳ ଜୟପୁର ନୁହେଁ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ପ୍ରଶ୍ନପତ୍ର । ନୂଆପଡା, କନ୍ଧମାଳ, ଢେଙ୍କାନାଳରୁ ଆସିଛି ଭାଇରାଲ୍ ହେବାର ଖବର । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।ପ୍ରଶ୍ନପତ୍ର ଭାଇରାଲ ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଏଭିବିପି କର୍ମୀ । ଏହି ଘଟଣାରେ ୨୦ରୁ ଅଧିକ ଏଭିବିପି କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ ।