ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ମିଳିଲା ମୃତ ଓଡିଆ ପାଇଲଟଙ୍କ ପରିଚୟ

1,182

କନକ ବ୍ୟୁରୋ : ଛତିଶଗଡ଼ର ରାଜଧାନୀ ରାୟପୁର ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଥିବା କୁହାଯାଉଛି । ସେ ହେଉଛନ୍ତି ଗୋପାଳକୃଷ୍ଣ ପଣ୍ଡା । ତାଙ୍କ ଘର ସମ୍ବଲପୁରର ବାହାମ ବୋଲି ଜଣାପଡ଼ିଛି । ରାୟପୁର ବିମାନ ବନ୍ଦରରୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ହେଲିକପ୍ଟର ଭିଟି-ସିଏଚଜି ହେଲିକପ୍ଟରଟି ନିୟମିତ ଅଭ୍ୟାସ ଲାଗି ଉଡାଣ ଭରିଥିଲା ।

ତେବେ କିଛି ସମୟ ପରେ ତାହା ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ରନୱେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି କ୍ରାଶ ହୋଇଥିବା ଜଣାପଡ଼ିଛି । ହେଲିକପ୍ଟର ଉଡାଉଥିବା ଓଡ଼ିଆ ପାଇଲଟ୍ ଗୋପାଳ କୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏପି ଶ୍ରୀବାସ୍ତବ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ଲାଗି ଡିଜିସିଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ଦିନକ ତଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ହେଲିକପ୍ଟରରେ ଯାତ୍ରା କରି ଫେରିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ରାୟପୁର ଆସିବାକୁ ଥିବା ସମସ୍ତ ବିମାନକୁ ଦିନକ ପାଇଁ ବନ୍ଦ ରଖାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟୁଇଟ୍ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବା ସହ ମୃତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।