କନକ ବ୍ୟୁରୋ: ଜାତୀୟ ଶିକ୍ଷାନୀତି ଅନୁସାରେ ସିବିଏସଇ ସ୍କୁଲରେ ଓଡିଆ ସମେତ ୨୨ଟି ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ପାଠ । ଏଣିକି ଓଡିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ ଏନେଇ ସିବିଏସଇ ଜାରି କରିଛି ସର୍କୁଲାର । ଛାତ୍ରଛାତ୍ରୀଙ୍କ ଭିତରେ ଭାଷାରେ ବିବିଧତା, ସଂସ୍କୃତିକୁ ବୁଝିବା ଏବଂ ଶିକ୍ଷଣୀୟ ସଫଳତାକୁ ବଢାଇବା ପାଇଁ ବହୁଭାଷୀ ଶିକ୍ଷାକୁ ଗରୁତ୍ୱ ଦିଆଯାଇଛି । ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପାଠ ପଢାଯାଉଥିଲା ।

Advertisment
  • ସିବିଏସଇ ଛାତ୍ରଛାତ୍ରୀ ପଢ଼ିବେ ଓଡ଼ିଆରେ ପାଠ
  • ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସିବିଏସଇ ସର୍କୁଲାର

ସିବିଏସଇ ପକ୍ଷରୁ ଆସିଥିବା ସର୍କୁଲାର ଅନୁଯାୟୀ ବାଲବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭାରତୀୟ ଭାଷାର ବିକଳ୍ପ ଉପଲବ୍ଧ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବ । ଆବଶ୍ୟକ ପଡିଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ କରାଯିବ । ତେବେ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବନାହିଁ । ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ଆଞ୍ଚଳିକ ଭାଷାରେ ପଢିପାରିବେ ଏବଂ ସ୍କୁଲଗୁଡିକ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ଆସନ୍ତା ବର୍ଷରୁ ଆଞ୍ଚଳିକ ଭାଷାରେ ପଢ଼ିବେ ଛାତ୍ରଛାତ୍ରୀ
  • ଏନ.ସି.ଇ.ଆର.ଟି ପ୍ରସ୍ତୁତ କରିବ ପାଠ୍ୟପୁସ୍ତକ

ଆସନ୍ତା ଶିକ୍ଷା ବର୍ଷରୁ ଯେପରି ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ସେଥିପାଇଁ ଏନ.ସି.ଇ.ଆର.ଟିକୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ଭାଷାରେ ପାଠ ପଢ଼ାଗଲେ ପିଲାମାନେ ଭଲ ଭାବେ ବିଷୟ ବସ୍ତୁକୁ ବୁଝିପାରିବେ । ଭାଷା ସେମାନଙ୍କ ବୈଦ୍ଧିକ ଶିକ୍ଷାରେ ବାଧା ସୃଷ୍ଟି କରିପାରିବ ନାହିଁ । ଏହାକୁ ଉଭୟ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ମହାସଂଘ ସ୍ୱାଗତ କରିଛନ୍ତି ।

ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବୈଷୟିକ ଶିକ୍ଷା, ମେଡିକାଲ ପାଠ୍ୟକ୍ରମ, ଆଇନ, ବ୍ୟବସାୟିକ ତଥା କୌଶଳ ଶିକ୍ଷା ଆଦିର ପାଠ୍ୟପୁସ୍ତକ ଇଂରାଜୀ ଓ ହିନ୍ଦୀ ଭାଷା ସହ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରାଯାଉଛି । ଆଗାମୀ ଦିନରେ ଏହିସବୁ ପାଠ୍ୟକ୍ରମରେ ଭାରତୀୟ ଭାଷାରେ ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଛି ।