ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶକ୍ତିକାନ୍ତ ଦାସ! ସାମ୍ନାରେ ବଡ ଚ୍ୟାଲେଞ୍ଜ, ସରକାରଙ୍କ ଆଗରେ ନଇଁଯିବେ ନା ଦେଶର ସ୍ୱାର୍ଥ ପାଇଁ ଲଢେଇ କରିବେ ।

119

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ । କିନ୍ତୁ ଶକ୍ତିକାନ୍ତ ଏକ ଏଭଳି ସମୟରେ ଦାୟିତ୍ୱ ନେଇଛନ୍ତି ଯେତେବେଳେ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ନେଇ ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ । ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ ଟଙ୍କାକୁ ନେଇ ମୁଖ୍ୟତଃ ଏହି ବିବାଦ ରହିଛି । ଏବେ ସମସ୍ତଙ୍କ ନଜର ଶକ୍ତିକାନ୍ତ ସରକାରଙ୍କ ଆଗରେ ନଇଁଯିବେ ନା ଦେଶର ସ୍ୱାର୍ଥ ପାଇଁ ଲଢେଇ କରିବେ ।

ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଚାଲିଥିବା ସବୁଠାରୁ ବଡ ବିବାଦ ଚରମ ସୀମାରେ ଥିବା ବେଳେ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଇଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ । ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ଅବସରପ୍ରାପ୍ତ ଆଇଏଏସ ଅଫିସର ଶକ୍ତିକାନ୍ତଙ୍କୁ ଦାୟିତ୍ୱ ଦେଇଛନ୍ତି ମୋଦି ସରକାର । ଏକ ସ୍ୱାମ୍ବାଦିକ ସମ୍ମିଳନୀରେ ଆରବିଆଇର ନୂଆ ଗଭର୍ଣ୍ଣର କହିଛନ୍ତି, ଏହି ଅନୁଷ୍ଠାନର ବୃତ୍ତିଗତ ସ୍ୱାଧୀନତାକୁ ବଜାୟ ରଖିବେ ।

ହେଉଥିବା ଚର୍ଚ୍ଚା ଅନୁସାରେ ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ଗଚ୍ଛିତ ଟଙ୍କା ଉପରେ ଆଖି ପକାଇଛନ୍ତି ଭାରତ ସରକାର । ଏଥିସହ ଆରବିଆଇର ସ୍ୱାଧୀନତା ନେଇ ବିବାଦ ଦେଖା ଦେଇଛି । ରିପୋର୍ଟ ଅନୁସାରେ, ବର୍ତ୍ତମାନ ଆରବିଆଇ ନିକଟରେ ୯.୬ ଲକ୍ଷ କୋଟି ଟଙ୍କା ଗଚ୍ଛିତ ରହିଛି । ଯାହା ସଙ୍କଟ ସମୟ ପାଇଁ ଗଚ୍ଛିତ ରହେ । ତେବେ ବିଭିନ୍ନ ରିପୋର୍ଟ ଅନୁସାରେ, ଭାରତ ସରକାର ଏହି ଗଚ୍ଛିତ ଟଙ୍କାରୁ ୩.୬ ଲକ୍ଷ କୋଟି ଟଙ୍କା ନିର୍ବାଚନ ବର୍ଷରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ତେବେ ଏଥିରେ ରାଜି ହୋଇନଥିଲେ ଉର୍ଜିତ ପଟେଲ । କିନ୍ତୁ ସାମ୍ବାଦିକଙ୍କ ଏହି ପ୍ରଶ୍ନ ଉପରେ ନୂଆ ଗଭର୍ଣ୍ଣର କୌଣସି ଉତ୍ତର ଦେବାକୁ ମନା କରିଥିଲେ ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ୟ ଭାରତ ସରକାର ରିଜର୍ଭ ବ୍ୟାଙ୍କରେ କେତେ ଟଙ୍କା ଗଚ୍ଛିତ ରହିବ ସେ ନେଇ ବିଚାରବିମର୍ଶ କରିବାକୁ ଚାହୁଁଛନ୍ତି । ଏବେ ଶକ୍ତିକାନ୍ତ ଦାସଙ୍କ ଉପରେ ଏକ ବଡ ଦାୟିତ୍ୱ ରହିଛି । ସେ ସରକାରଙ୍କ କଥା ମାନିଯିବେ ନା ଆର୍ଥିକ ସଙ୍କଟ ପାଇଁ ଦେଶକୁ ପ୍ରସ୍ତୁତ ରଖିବେ ତା ଉପରେ ସମସ୍ତଙ୍କର ନଜର ।