ଭୁବନେଶ୍ୱର ପାନ୍ଥ ନିବାସରେ ପାଳିତ ହୋଇଯାଇଛି ଓଡିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି । କାର୍ଯ୍ୟକ୍ରମକୁ ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି

133

କନକ ବ୍ୟୁରୋ : ଭୁବନେଶ୍ୱର ପାନ୍ଥ ନିବାସ ପରିସରରେ ଓଟିଡିସି ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଓଡିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି । ଏହି ଅବସରରେ ସେ କହିଛନ୍ତି କୋଭିଡ ପରେ ପରିସ୍ଥିତି ବଦଳିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଓଡିଶା ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଯାହା ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ଏକ ଶୁଭ ସଙ୍କେତ ।

ଆଗକୁ ଓଡିଶାକୁ ଆସୁଥିବା ପ୍ରତି ପର୍ଯ୍ୟଟକ ଯେଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେନେଇ ମିଳିତ ଉଦ୍ୟମ କରିବ ଓଟିଡିସି ଓ ପର୍ଯ୍ୟଟନ ବିଭାଗ । ଓଡିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ୨୦୨୩ କାର୍ଯ୍ୟକ୍ରମରେ ଓଡିଆ ଘରର ଚଳଣି, ପରମ୍ପରା ଓ ମାନସିକତାକୁ ନେଇ ପ୍ରଦର୍ଶିତ ହୋଇଥିଲା ଚିତ୍ର ପ୍ରଦର୍ଶନୀ । ଯେଉଁଥିରେ ୪୨ ଜଣ ଯୁବ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଚିତ୍ରଶିଳ୍ପୀଙ୍କୁ ବିଭାଗ ତରଫରୁ ସମ୍ମାନୀତ କରାଯାଇଥିଲା । ଏହା ସହ ସାଧାରଣ ଲୋକଙ୍କ ପାଇଁ ପଣା ଓ କାକରା ବ୍ୟବସ୍ଥା କରାଯାଇଥିଲା ।