କନକ ବ୍ୟୁରୋ : ଦାଦନ ଯନ୍ତ୍ରଣାର ଆଉ ଏକ ବିଚଳିତ କଲା ଭଳି ଦୃଶ୍ୟ  । ସାତ ଦରିଆପାରିରେ କୋମାରେ ସ୍ୱାମୀ, ଏପଟେ ଚିନ୍ତାରେ ବେସାହାରା ପରିବାର । ସ୍ୱାମୀଙ୍କୁ ବଞ୍ଚାଇ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ ଓ ପୁଅ । ବିଦେଶରେ ଅସୁସ୍ଥ ଓଡିଆ ଯୁବକ ପାଇଁ ଦେବଦୂତ ସାଜିଛନ୍ତି ଆଉ ଜଣେ ଓଡିଆ ଯୁବକ  ।

Advertisment

ଅଧିକ ରୋଜଗାରର ଆଶା ନେଇ ଯାଇଥିଲେ ବିଦେଶ । ହେଲେ ସେଠାରେ ଜୀବନ ମୃତ୍ୟୁର ଦୋ-ଛକିରେ ଜୁଝି ହେଉଛି ମଣିଷ । ଖଲ୍ଲିକୋଟ ତୋଟା ଗାଁର ସିମାଞ୍ଚଳ ରାଉତ । ଘରେ ବାପା-ମାଆ, ପତ୍ନୀ ଓ ୨ ପୁଅଙ୍କୁ ଛାଡି ବାହାରି ଯାଇଥିଲେ ବାହାରିନ୍ । ଆଖିରେ ଆଖିଏ ସ୍ୱପ୍ନ ଥିଲା, ବାହାରେ ଅଧିକ ରୋଜଗାର ମିଳିବ, ଏପଟେ ପରିବାର ମୁହଁରେ ହସ ଫୁଟିବ । ୪ ବର୍ଷ ହେଲା ଏକ କମ୍ପାନୀରେ ମେକାନିକାଲ ମୁଖ୍ୟ ଭାବେ କାମ କରି ସବୁ ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା କରୁଥିଲେ ପରିବାରର ଏହି ରୋଜଗାରିଆ ବ୍ୟକ୍ତି ଜଣଙ୍କ । ହେଲେ ବିଧିର ବିଧାନ ଥିଲା ବିଚିତ୍ର । ଉଚ୍ଚ ରକ୍ତ ଚାପ ଯୋଗୁଁ ବ୍ରେନ ଷ୍ଟ୍ରୋକ୍ ସହ କୋମାକୁ ଚାଲି ଯାଇଛନ୍ତି ସୀମାଞ୍ଚଳ । ଆଉ ଏପଟେ ସ୍ତ୍ରୀ-ପିଲାଙ୍କ ଆଖିରୁ ଲୁହ ଶୁଖୁନି ।

ସେପଟେ ବାହାରିନରେ ଅରକ୍ଷିତକୁ ଦଇବ ସାହା ଭଳି ସୀମାଞ୍ଚଳଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଆଉ ଜଣେ ଓଡିଆ ଡକ୍ଟର ଅରୁଣ କୁମାର ପ୍ରହରାଜ । ହସ୍ପିଟାଲରେ ଦେଖାଶୁଣା କରିବା ସହ ସୀମାଞ୍ଚଳଙ୍କ ସବୁ ଖର୍ଚ୍ଚ ନିଜେ ଉଠାଉଛନ୍ତି । ସଂଯୋଗର କଥା ହେଉଛି, ଅରୁଣଙ୍କ ବାପା ମଧ୍ୟ ସମାନ ରୋଗରେ, ସମାନ ଅବସ୍ଥାରେ ପ୍ରାଣ ହରାଇଥିଲେ । ବାପାଙ୍କୁ ବଞ୍ଚାଇ ପାରିନଥିବା ବାରିହିନ ଓଡିଆ ସମାଜର ପ୍ରତିଷ୍ଠାତା ଅରୁଣ କିନ୍ତୁ ସୀମାଞ୍ଚଳଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।

ପ୍ରବାସରେ ଜଣେ ଓଡିଆଙ୍କର ଆଉ ଜଣେ ଓଡିଆଙ୍କ ପ୍ରତି ସେବା ଓ ସମର୍ପଣର ଭାବ, ସୀମାଞ୍ଚଳ ଭଲ ହୋଇ ଫେରିବାର ସମ୍ଭାବନା ସୃଷ୍ଟି କରିଛି । କଥାରେ ଅଛି ରଖେ ହରି ତ ମାରେ କିଏ । ଏଇ ଆଶା ନେଇ ଖଲ୍ଲିକୋଟରେ ସୀମାଞ୍ଚଳଙ୍କ ପରିବାର ବାହାରିନରୁ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।