ଓଡିଆ ଶ୍ରମିକଙ୍କ ଘରବାହୁଡା: କେରଳରୁ ଟ୍ରେନରେ ଆସୁଛନ୍ତି ୧୧ଶହରୁ ଅଧିକ ଯାତ୍ରୀ; ସ୍ୱତନ୍ତ୍ର ବସରେ ପଂଚାୟତର ସଙ୍ଗରୋଧ କେନ୍ଦ୍ରକୁ ଯିବେ ପ୍ରବାସୀ ଓଡିଆ

262

କନକ ବ୍ୟୁରୋ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ରାଜ୍ୟ ବାହାରେ ଫସିଥିବା ଓଡିଆ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ଓଡିଶାର ୧୧୫୦ ଜଣ ଯାତ୍ରୀଙ୍କୁ ନେଇ ଆଜି କେରଳରୁ ପ୍ରଥମ ଟ୍ରେନ୍ ଓଡିଶା ଆସିଛି । ଭୋର ସମୟରେ ଟ୍ରେନ୍ ଅଟକିଛି ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ । କଡା ସୁରକ୍ଷା ଭିତରେ ୫ଶହରୁ ଅଧିକ ପ୍ରବାସୀ ଓଡିଆ ଓହ୍ଲାଇଛନ୍ତି । ଏବଂ ପରେ ସ୍ୱତନ୍ତ୍ର ବସରେ ସଂପୃକ୍ତ ଜିଲ୍ଲାର ଲୋକମାନଙ୍କୁ ନିଜ ନିଜ ଗ୍ରାମପଂଚାୟତକୁ ପଠାଯାଇଛି ।

ଟ୍ରେନରେ କନ୍ଧମାଳ, ଗଜପତି ଓ ଗଂଜାମ ଜିଲ୍ଲାର ସର୍ବାଧିକ ଲୋକ ଥିଲେ । ଏର୍ଣ୍ଣାକୁଲମ-ଖୋର୍ଦ୍ଧାରୋଡ୍ ସ୍ୱତନ୍ତ୍ର ଟ୍ରେନଟି ଜଗନ୍ନାଥପୁର ପରେ ଖୋର୍ଦ୍ଧାରୋଡ୍ ଷ୍ଟେସନରେ ଅଟକିବ । ଏହି ସମୟରେ ଅନ୍ୟ କୌଣସି ଲୋକ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ । ବିଭିନ୍ନ ଜିଲ୍ଲା ପାଇଁ ଗାଡି ଜରିଆରେ ସଂପୃକ୍ତ ଅଂଚଳରେ ପଂଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇଦିଆଯିବ ।

ଅପରେସନ ଶୁଭଯାତ୍ରାରେ ରାଜ୍ୟର ୨୩ ଜିଲ୍ଲାର ଲୋକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି । ସେହିପରି ଆଉ ଏକ ଟ୍ରେନ୍ ସୁରତରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏଥିରେ ୧୨ ଶହ ଓଡିଆ ରହିଛନ୍ତି । ଏହି ଟ୍ରେନ୍ ଆସନ୍ତାକାଲି ଭୋରରେ ବ୍ରହ୍ମପୁରରେ ପହଂଚିବ । ଏଥିରେ ଗଂଜାମ ଜିଲ୍ଲାର ସର୍ବାଧିକ ଯାତ୍ରୀ ରହିଛନ୍ତି ।