ଏପଟେ ଚାଲିଥିଲା ଗଣତନ୍ତ୍ର ଉତ୍ସବ, ସେପଟେ ଦେଶ ପାଇଁ ସହିଦ ହୋଇଗଲେ ବୀର ଓଡ଼ିଆ ପୁଅ ହେମନ୍ତ ।

7,023

କନକ ବ୍ୟୁରୋ: ସାରା ଦେଶ ଗଣତନ୍ତ୍ରର ଉତ୍ସବରେ ଉତ୍ସାହିତ ଥିବା ବେଳେ ସୀମାରୁ ଆସିଛି ଯବାନଙ୍କ ବଳିଦାନର ଖବର । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଓଡ଼ିଆ ଯବାନ । ଜାମ୍ମୁ-କାଶ୍ମରୀର ବାରାମୁଲା ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଛନ୍ତି ଖୋର୍ଦ୍ଧା ବେଗୁନିଆ ଅଂଚଳର ହେମନ୍ତ କୁମାର ପଣ୍ଡା । ପୁଅଙ୍କ ସହୀଦ ଖବର ପାଇ ପରିବାର ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ କହିବା ମୁତାବକ ୨ ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ ହେମନ୍ତ ।

ଅନ୍ୟପଟେ ଯେଉଁ ଅଞ୍ଚଳରେ ଏହି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଂଟର ହୋଇଥିଲା, ସେହି ଅଂଚଳରେ ଆଜି ସକାଳୁ ଦୁଇ ଜଣ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଛନ୍ତି । ବଡ କଥା ହେଉଛି- ଜାମ୍ମୁ-କାଶ୍ମୀର ଏହି ବାରାମୁଲା ଅଂଚଳକୁ ଆତଙ୍କବାଦୀ ମୁକ୍ତ ଅଂଚଳ ଭାବରେ ଘୋଷଣା କରାଯାଇଥିବା ବେଳେ, ଆତଙ୍କବାଦୀଙ୍କ ଗତିବିଧି ପୁଣି ଥରେ ସମସ୍ତଙ୍କ ଚିନ୍ତାରେ ପକାଇଦେଇଛି ।

ଏପଟେ ହେମନ୍ତ ପଣ୍ଡାଙ୍କ ସହିଦ ହେବା ଖବର ବେଗୁନିଆ ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି । ଗଣତନ୍ତ୍ର ଦିବସ ଅବସରରେ ଭାରତ ଓ ପାକିସ୍ତାନର ଯବାନମାନେ ୱାଘା ବର୍ଡରରେ ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷରୁ ସ୍ୱତନ୍ତ୍ର ସେଲ୍ୟୁଟ୍ ଦେଉଥିବା ବେଳେ ଆତଙ୍କବାଦୀମାନେ ଭାରତ ସୀମାରେ ପଶି ଘଟାଇ ଚାଲିଛନ୍ତି ଅମାନବୀୟ କାଣ୍ଡ ।ଗୋଟିଏ ପଟେ ଦେଶବାସୀ ୭୦ତମ ସାଧାରଣତନ୍ତ୍ର ଦିବସର ଉତ୍ସବ । ଅନ୍ୟପଟେ ଦେଶପାଇଁ ସହୀଦ ହୋଇଗଲେ ହେମନ୍ତ ।