ଥାନା ଭିତରେ ପୋଲିସ ବାବୁଙ୍କ ମନମାନି ! ଆଇଏଏସ ଅଫିସରଙ୍କୁ ଧମକାଇଲେ ପୋଲିସ କର୍ମଚାରୀ ।

465

କନକ ବ୍ୟୁରୋ : ଆଇଏଏସଙ୍କୁ ଧମକାଇଲା ପୁଲିସ । ସବୁଠାରୁ ବଡ କଥା ହେଉଛି ପଶ୍ଚିମବଙ୍ଗରେ ଜଣେ ଓଡିଆ ଆଇଏଏସଙ୍କୁ ପୁଲିସ ଧମକାଉଥିବାର ଚିତ୍ର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ବିରଭୂମି ଜିଲ୍ଲା ରାମପୁରହାଟ ସବଡିଭିଜନର ସବଡିଭିଜନାଲ ମାଜିଷ୍ଟ୍ରେଟ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଏମିତିକି ରାମପୁରହାଟ ଥାନାରେ ସ୍ଥାନୀୟ ଏସଡିପିଓ ଆଇଏଏସ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଦୁର୍ବ୍ୟବହାର କରୁଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି ।

ସ୍ମୃତିରଞ୍ଜନ ମହାନ୍ତି ହେଉଛନ୍ତି ୨୦୧୫ ବ୍ୟାଚର ଆଇଏଏସ । ଏହି ଓଡିଆ ଆଇଏଏସ ଜଣକ ପଶ୍ଚିମବଙ୍ଗ କ୍ୟାଡରରେ ବର୍ତମାନ କାର୍ଯ୍ୟରତ ଅଛନ୍ତି । ସ୍ଥାନୀୟ ଅଂଚଳରେ ବ୍ୟବସାୟୀଙ୍କ ଠାରୁ ପିସି ନେବା ସହ ଦୁର୍ନୀତିର ଅନେକ ଅଭିଯୋଗ ପାଇଥିଲେ । ଏନେଇ ବାରମ୍ବାର ରାମପୁରହାଟ ଇନିସ୍ପେକ୍ଟରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି କୈାଣସି ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ । ଏହା ପରେ ଆଇଏଏସ ଅଫିସର ସ୍ମୃତିରଞ୍ଜନ ମହାନ୍ତି ଡେପୁଟି କଲେକ୍ଟରଙ୍କ ସହ ରାମପୁରହାଟ ଥାନା ପରିଦର୍ଶନରେ ଯାଇଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର କରିଥିଲେ । ଆଉ ଏସଡିପିଓ ପହଁଚିବା ପରେ ପୁଲିସ ସବୁ ସୀମା ଟପି ଯାଇଥିଲା ।

ରମପୁରହାଟର ଏସଡିପିଓ ଅଭିଷେକ ରାୟ କେମିତି ଜଣେ କାର୍ଯ୍ୟରତ ଆଇଏଏସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ତାହାର ଚିତ୍ର ସାମ୍ନାକୁ ଆସିଛି । ଏମିତିକି ଅନ୍ୟ ପୁଲିସକର୍ମଚାରୀଙ୍କୁ ଥାନାଗେଟ ବନ୍ଦ କରିଦେବାକୁ ବି ନିର୍ଦ୍ଦେଶ ଦେଉଛନ୍ତି । ଆଉ ଜୋରଜବରଦସ୍ତ କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କୁ ଅଟକ ରଖୁଛନ୍ତି । ପଶ୍ଚିମବଙ୍ଗରେ ଆଇଏଏସ ଅଫିସରଙ୍କୁ ପୁଲିସ ଧମକାଇବାର ଚିତ୍ର ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଙ୍ଗଳା ପୁଲିସ ରେଗୁଲେସନ ଆଇନ ୧୯୪୩ ଅନୁସାରେ ସବଡିଭିଜନାଲ ମାଜିଷ୍ଟ୍ରେଟ ଥାନା ପରିଦର୍ଶନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇପାରିବେ ।

ଓଡିଆ ଆଇଏଏସ ସ୍ମୃତିରଞ୍ଜନ ମହାନ୍ତିଙ୍କ ପାଖରେ ଥାନା ପରିଦର୍ଶନ ଓ ପୁଲିସକୁ ପ୍ରଶ୍ନ କରିବାର ସମ୍ପୂର୍ଣ୍ଣ କ୍ଷମତା ରହିଛି । ହେଲେ ପଶ୍ଚିମବଙ୍ଗ ପୁଲିସ କାର୍ଯ୍ୟରତ ଆଇଏଏସ ଅଧିକାରୀଙ୍କୁ ବେଆଇନ ଭାବେ ଅଟକ ରଖିଥିଲା । ରାମପୁରହାଟ ଏସଡିପିଓ ଓଡିଆ ଆଇଏଏସ ଅଫିସରଙ୍କୁ ଅସଦାଚରଣ କରୁଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ଶେଷରେ ବୀରଭୂମି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରାମପୁରହାଟ ପୁଲିସ ଅଟକ ମାଜିଷ୍ଟ୍ରେଟଙ୍କୁ ଛାଡିଥିଲା । ଏନେଇ ବର୍ତମାନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚବିଙ୍କୁ ଚିଠି ଲେଖିଛନ୍ତି ଓଡିଆ ଆଇଏଏସ ସ୍ମୃତିରଞ୍ଜନ ମହାନ୍ତି ।

ସବୁଠାରୁ ସମ୍ବେଦନଶୀଳ କଥା ହେଉଛି ସ୍ମୃତିରଞ୍ଜନ ଜଣେ ଆଇଏଏସ ଅଫିସର ଓ ସ୍ଥାନୀୟ ମାଜିଷ୍ଟ୍ରେଟ ବୋଲି ଜାଣିବା ପରେ ବି ପୁଲିସ ଅଧିକାରୀ ଜଣକ ତାଙ୍କୁ ଦୁର୍ବ୍ୟବହାର କରିଚାଲିଥିବା ଜଣାପଡିଛି । ଏହା ସହ ବେଆଇନ ଭାବେ ତାଙ୍କୁ ଅଟକ ରଖାଯାଇଥିବା ନେଇ ବି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି ଆଇଏଏସ ସ୍ମୃତିରଞ୍ଜନ ମହାନ୍ତି । ବୀରଭୂମି ଜିଲ୍ଲା ରାମପୁରହାଟ ସବଡିଭିଜନରେ ଦୁର୍ନାତିର ଅନେକ ଅଭିଯୋଗ ରହିଛି ।

ବ୍ୟବସାୟୀଙ୍କ ଠାରୁ ବଟି ଆଦାୟର ଅଭିଯୋଗ ଆସିବା ପରେ ଏସଡିଓ ସ୍ମୃତିରଞ୍ଜନ ମହାନ୍ତ ତଦନ୍ତ ପାଇଁ ଯାଇଥିଲେ । କ୍ରସର ଆସୋସିଏସନ ଏନେଇ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କରିବା ପରେ ଥାନା ପରିଦର୍ଶନରେ ଯାଇଥିଲେ ଆଇଏଏସ । ରାମପୁରହାଟ ଥାନା ଅଧିକାରୀ ସ୍ମୃତିରଞ୍ଜନଙ୍କ ପ୍ରଶ୍ନର ଉତର ରଖୁନଥିବା ବେଳେ ଏସଡିପିଓ ଅସଦାଚରଣ କରିଥିଲେ । ନିଜ ଦୋଷ ଲୁଚାଇବା ପାଇଁ ପୁଲିସ ଆଇଏଏସଙ୍କୁ ଦୁର୍ବ୍ୟବହାର କଲା କି ?

କେବଳ ପଶ୍ଚିମବଙ୍ଗର ଓଡିଆ ଆଇଏଏସଙ୍କୁ ପଶ୍ଚିମବଙ୍ଗ ପୁଲିସ ଅସଦାଚରଣ କରି ନାହିଁ । ବରଂ ଥାନା ଭିତରେ ପୁଲିସର ମନମାନିର ଚିତ୍ର ବି ସାମ୍ନାକୁ ଆସିଛି । କିଛି ଆଦିବାସୀ ଯୁବକଙ୍କୁ ରାମପୁରହାଟ ଥାନାରେ ଜୋର ଜବରଦସ୍ତ ଅଟକ ରଖାଯାଇଥିବା ବି ଦେଖିବାକୁ ମିଳିଛି । ଯାହାକୁ ନେଇ ପଶ୍ଚିମବଙ୍ଗ ପୁଲିସର ମନମାନୀ ଓ ବର୍ବରତା ବି ସାମ୍ନାକୁ ଆସିଛି । ଯେଉଁଠି ପୁଲିସ ଜଣେ କାର୍ଯ୍ୟରତ ଆଇଏଏସଙ୍କୁ ଧମକାିବାର ଦୁଃଶାହସ କରିପାରୁଛି ସେଠି ସାଧାରଣ ଲୋକଙ୍କ ଅବସ୍ଥା କଣ ଥିବ । ଏହି ଘଟଣା ପରେ ଓଡିଆ ଆଇଏଏସ ଅଫିସର ସ୍ମୃତିରଞ୍ଜନ ପୁଲିସ ତରଫରୁ ମଧ୍ୟ ତାଙ୍କ ପ୍ରତି ବିପଦଥିବା ନେଇ ଉଚ୍ଚପଦାଧିକାରୀଙ୍କୁ ଜଣାଇଥିବା ଜଣାପଡିଛି ।