ନିର୍ଦ୍ଦେଶିକା ଭାବେ ବଲିଉଡରେ ଓଡ଼ିଆ ଝିଅ ଦେବମିତ୍ରାଙ୍କ ଏଣ୍ଟ୍ରି । ୟୁଟ୍ୟୁବରେ ଧମାଲ ମଚାଇଲା ଦେବମିତ୍ରାଙ୍କ ପ୍ରଥମ ଫିଲ୍ମ ‘ମୋତିଚୁର୍ ଚଖନାଚୁର୍’ ଟ୍ରେଲର, ଗୋଟିଏ ଦିନରେ ଦେଖିଲେ ୬୦ ଲକ୍ଷ ଲୋକ ।

695

ବଲିଉଡରେ ଆଉ ଜଣେ ଓଡ଼ିଆ ଝିଅ। ଆଉ ମାତ୍ର କିଛି ମାସ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ ହସନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମୋତିଚୁର୍‌ ଚଖନାଚୁର୍‌’ ରିଲିଜ୍‌ ହେବାକୁ ଥିବା ବେଳେ ୟୁଟ୍ୟୁବରେ ଧମାଲ ମଚାଇଛି ଟ୍ରେଲର । ଗତ କାଲି ଅପଲୋଡ ହୋଇଥିବା ୨ ମିନିଟ୍‌ ୨୧ ସେକେଣ୍ଡର ଏହି ଫିଲ୍ମର ଟ୍ରେଲରକୁ ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ନଭେମ୍ବର ୧୫ରେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରଟିରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଆଥିୟା ସେଠୀ। ଏଥିରେ ନଓ୍ଵାଜୁଦ୍ଦିନ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିବେ। ସେ ଆଥିୟାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଆଥିୟାଙ୍କ ସ୍ୱପ୍ନ ରହିଛି ଜଣେ ପ୍ରବାସୀ ଭାରତୀୟଙ୍କୁ ବିବାହ କରିବାକୁ। ତେବେ ଏହାପରେ କଣ ହେଉଛି ତାହା ଫିଲ୍ମ ରିଲିଜ୍ ହେବା ପରେ ସ୍ପଷ୍ଟ ହେବ ।

ଭୁବନେଶ୍ୱରର ଝିଅ ଦେବମିତ୍ରା ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦେଇଥିବା ସାଥେ ସାଥେ ତାଙ୍କ ୧୫ ବର୍ଷର ସ୍ୱପ୍ନକୁ ପୂରା କରିଛନ୍ତି। ସେ ଅନେକ ବର୍ଷ ହେବ ବଲିଉଡ୍‌ ନିର୍ଦ୍ଦେଶକ ହେବାର ସ୍ୱପ୍ନ ଦେଖି ଆସୁଥିଲେ। ପୂର୍ବରୁ ସେ ବାଲାଜୀ ଟେଲି ଫିଲ୍ମସ ସହକାରୀ ନିର୍ଦ୍ଦେଶକ ଭାବେ ନିଜ ବୃତ୍ତି ଆରମ୍ଭ କରିଥିଲେ। ‘ରାଧା କି ବେଟିୟାଁ କୁଛ କର ଦିଖାଏଗି’ ଓ ‘ଲପ୍ତାଗଞ୍ଜ’ ଚଳଚ୍ଚିତ୍ରରେ କ୍ରିଏଟିଭ୍‌ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ଦେବମିତ୍ରା । ତେବେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ଦେବମିତ୍ରାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଏପରିକି ପ୍ରଥମେ ପ୍ରଥମେ ଅନେକ ପ୍ରଯୋଜକଙ୍କୁ ଭେଟିଥିଲେ ମଧ୍ୟ ଦେବମିତ୍ରାଙ୍କୁ ନିରାଶ ହେବାକୁ ପଡିଥିଲା । ଆଉ ଶେଷରେ ଦେବମିତ୍ରାଙ୍କ ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିଥିଲେ ପ୍ରଯୋଜକ ରାଜେଶ ଭାଟିଆ ଓ କିରଣ ଭାଟିଆ । କେବଳ ଏହି ଗୋଟିଏ ଫିଲ୍ମ ନୁହେଁ ଏବେ ଦେବମିତ୍ରାଙ୍କ ହାତରେ ୩ଟି ଫିଲ୍ମର ଅଫର ରହିଛି ।

ପ୍ରଯୋଜନା ସଂସ୍ଥା ଉଡପେକର ପାରିଶ୍ରମିକ ଦେଇ ନ ଥିଲା ବୋଲି ବମ୍ବେ ହାଇକୋର୍ଟରେ ଦେବମିତ୍ରା ଅଭିଯୋଗ ଆଣିବା ପରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହାର ଟ୍ରେଲର୍ ରିଲିଜ୍‌ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ମାତ୍ର ଅକ୍ଟୋବର ୯ ତାରିଖରେ ପ୍ରଯୋଜନା ସଂସ୍ଥାର ଓକିଲ କୋର୍ଟଙ୍କୁ ଦେବମିତ୍ରାଙ୍କୁ ପାରିଶ୍ରମିକ ଦିଆଯାଇଥିବା ଜଣାଇବା ପରେ ଏହାର ଟ୍ରେଲର୍ ରିଲିଜ୍‌ ହୋଇଛି।