ବନ୍ଧା ପଡ଼ିଛି ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତ । ୩ ବର୍ଷ ହେଲା ସାର୍ଟିଫିକେଟ୍ ଦେଉନାହିଁ ନର୍ସିଂ ସ୍କୁଲ୍, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କର୍ତ୍ତୃପକ୍ଷଙ୍କ ଭାଙ୍ଗୁନି ନିଦ ।

270

କନକ ବ୍ୟୁରୋ : ବନ୍ଧା ପଡିଛି ଆଦିବାସୀ ଅଂଚଳର ଛାତ୍ରୀଙ୍କ ସାର୍ଟିଫିକେଟ । ଏପରି ଅଭାବନୀୟ ଖବର ଆସିଛି ମାଲକାନାଗିରି ଜିଲ୍ଲାରୁ । ଜିଲ୍ଲାର ଏକ ଘରୋଇ ଏ.ନ୍.ଏମ୍ ତାଲିମ କେନ୍ଦ୍ର କର୍ତ୍ତୃପକ୍ଷ ୩ ବର୍ଷ ଧରି ପିଲାଙ୍କ ସାର୍ଟିଫିକେଟ ରଖି ସେମାନଙ୍କ ଠାରୁ ବେଆଇନ୍ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ପିଲାଙ୍କ ସମସ୍ତ କାଗଜ ଫେରାଇ ଦେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ବି ଅଣଦେଖା କରୁଛି ସଂପୃକ୍ତ ସଂସ୍ଥା । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି । ତଥାପି କିନ୍ତୁ ନିଜ ସାର୍ଟିଫେକେଟ୍ ଫେରି ପାଉନାହାନ୍ତି ଛାତ୍ରୀ ।

ବନ୍ଧା ପଡିଛି ଛାତ୍ରୀଙ୍କ ଭବିଷ୍ୟତ । ଏ.ଏନ୍.ଏମ୍ ସେଂଟର କବଜାରେ ଛାତ୍ରୀଙ୍କ ସାର୍ଟିଫିକେଟ୍ । ନର୍ସିଂ ପଢି ସ୍ୱାସ୍ଥ୍ୟକର୍ମୀ ଭାବେ ସେବା କରିବା ଆଶାରେ ମାଲକାନଗିରି ସ୍ଥିତ ଓଡିଶା ହେଲ୍ଥ ଏଜୁକେସନ ଫର୍ ସ୍କୁଲ ଅଫ ନର୍ସିଂ ସେଂଟରରେ ନାମ ଲେଖାଇଥିଲେ ଛାତ୍ରୀ । ହେଲେ ଏଠାରେ ସେମାନଙ୍କ ଭବିଷ୍ୟତ ବନ୍ଧା ପଡିଯିବ ଆଉ ବେଆଇନ ଭାବେ ଟଙ୍କା ଦେବାକୁ ପଡିବ ସେକଥା କାହାକୁ ଜଣାନଥିଲା ।

ନର୍ସିଂ ପଢି ରୋଗୀ ସେବା କରିବେ କଣ ନିଜ ସାର୍ଟିଫିକେଟ୍ ମୁକାଳାଇବା ପାଇଁ ଚିନ୍ତାରେ ପଡିଛନ୍ତି ଛାତ୍ରୀ । ୨୦୧୭-୧୮ ଓ ୧୮-୧୯ର ଛାତ୍ରୀଙ୍କ ପାଠ୍ୟକ୍ରମ ସରିଥିଲେ ବି ଏଯାଏଁ ସେମାନଙ୍କ ଓରିଜିନାଲ୍ ସାର୍ଟିଫିକେଟ ଫେରସ୍ତ କରି ନାହିଁ ସଂପୃକ୍ତ ଅନୁଷ୍ଠାନ । କେବଳ ଏତିକି ନୁହେଁ ସଂପୃକ୍ତ ନର୍ସିଂ ସ୍କୁଲ ଭିତରେ ସେଂଟର ଇନଚାର୍ଜ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଛାତ୍ରୀଙ୍କ ସାର୍ଟିଫିକେଟ ଫେରେଇବା ଘଟଣାକୁ କେନ୍ଦ୍ର କରି ଏପରି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।

୧୨ ବର୍ଷ ତଳୁ ମାଲକାନଗିରିରେ ଖୋଲିଛି ଓଡିଶା ହେଲ୍ଥ ଏଜୁକେସନ୍ ଫର୍ ସ୍କୁଲ ଅଫ୍ ନର୍ସିଂ ନାମକ ଅନୁଷ୍ଠାନ । ଏଠାରେ ପଢୁଥିବା ଛାତ୍ରୀଙ୍କ ମାଟ୍ରିକ୍, ଯୁକ୍ତ ଦୁଇର ସମସ୍ତ ଅସଲ ମାନପତ୍ର ନିଜ କବଜାରେ ରଖିଛି ସଂପୃକ୍ତ ଅନୁଷ୍ଠାନ । କିଛି ବର୍ଷ ହେବ ଅନୁଷ୍ଠାନର ମାଲିକାନାକୁ ନେଇ ଟ୍ରଷ୍ଟ ସଦସ୍ୟଙ୍କ ମଧ୍ୟରେ ବିବାଦ ଲାଗିଛି । ମାମଲା ହାଇକୋର୍ଟରେ ବିଚାରାଧିନ ଥିବା ବେଳେ ୬ ସପ୍ତାହ ଭିତରେ ଛାତ୍ରୀଙ୍କ ସାର୍ଟିଫିକେଟ୍ ଫେରସ୍ତ ପାଇଁ ହାଇକୋର୍ଟ ମାଲକାନଗିରି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ମାସ ପରେ ମାସ ବିତିଛି, କିନ୍ତୁ ଛାତ୍ରୀଙ୍କୁ ସାର୍ଟିଫିକେଟ୍ ମିଳିପାରିନାହିଁ । ଜିଲ୍ଲାପାଳ ଓ ମାଲକାନଗିରି ପୁଲିସକୁ ଗୁହାରି କରି ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି ଛାତ୍ରୀ ।

କେବଳ ଏହି ଏ.ଏନ୍.ଏମ୍ ସେଂଟର ନୁହେଁ ବରଂ ବ୍ୟବସାୟିକ ଫାଇଦା ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ବୈଷୟୀକ ଶିକ୍ଷା କେନ୍ଦ୍ରରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ଆଳରେ ବର୍ଷ ବର୍ଷ ଧରି ବନ୍ଧା ପଡିରହିଛି । ଆଉ ସବୁ ଜାଣି ଚୁପ ବସିଛି ଆମ ବ୍ୟବସ୍ଥା ।