ନିଦ ହଜାଇଲା ନୂଆପଡ଼ା ବାଘ, ଲୋକଙ୍କ ଭିତରେ ବଢୁଛି ଭୟ : କ୍ୟାମେରାରେ ୨ କଲରାପତରିଆ ବାଘ କଏଦ ହେବା ପରେ ସ୍ଥାନୀୟ ଅଂଚଳରେ ବନବିଭାଗର ପଇଁତରା

348

କନକ ବ୍ୟୁରୋ : ନୂଆପଡା ଜଙ୍ଗଲରେ ଦୁଇଟି କଲରାପତରିଆ ଦେଖାଯିବା ପରେ ସଜାଗ ହୋଇଉଠିଛି ବନବିଭାଗ । ଦୁଇଟି ଟିମ୍ କରି ଆଜି ଦିନ ତମାମ ଗାଁ ପାଖରେ ବାଘ ଖୋଜାଯାଇଛି । ଏପରିକି ଜଙ୍ଗଲ ଭିତରକୁ ଯାଇ କଲରାପତରିଆ ବାଘକୁ ବି ଖୋଜିଛନ୍ତି ବନ କର୍ମଚାରୀ । ତେବେ ବାଘକୁ ଦେଖିପାରିନାହାଁନ୍ତି । ସୁନାବେଡା ଅଭୟାରଣ୍ୟକୁ ବାଘ ଦୁଇଟି ଚାଲିଯାଇ ଥାଇପାରନ୍ତି ବୋଲି ବନବିଭାଗ ଅନୁମାନ କରୁଛି । ସେପଟେ ବାଘ ଭୟରେ ଗାଁରେ କୋକୁଆ ଭୟ ଦେଖାଦେଇଛି ।

ପାହାଡ ଉପରେ ବାଘ ଦେଖିବା ପରେ ବନବିଭାଗ ଆରମ୍ଭ କରିଛି ଅପରେସନ କଲରାପତରିଆ । ଗାଁ ପାଖ ଜଙ୍ଗଲରେ ଚାଲିଛି ବାଘ ଖୋଜା । ଗାଁ ମୁଣ୍ଡରେ ବାଘର ପାଦଚିହ୍ନ ଖୋଜୁଛି ବନବିଭାଗ । ୧୦ ଜଣ କର୍ମଚାରୀଙ୍କୁ ନେଇ ବନବିଭାଗର ୨ଟି ଟିମ୍ ଗାଁ ପାଖ ଜଙ୍ଗଲ ଓ ପାହାଡ ଅଂଚଳରେ ଘୁରି ବୁଲୁଛନ୍ତି । ତଥାପି ବାଘର ପତା ମିଳିନି ।

ଗାଁକୁ ଲାଗି ରହିଛି ମୁସୁରଙ୍ଗୀ ଜଙ୍ଗଲ । ଯେଉଁଠି ଚାରି ଚାରିଟି ବାଘ ଦେଖାଦେଇଛିି । ଦୁଇଟି ବଡ କଲରାପତରିଆ ଏବଂ ଆଉ ଦୁଇଟି ଛୁଆ । ମୋବାଇଲରେ ବାଘର ଫଟୋ ଉଠାଇବା ପରେ ଗାଁଲୋକଙ୍କ ମଧ୍ୟରେ କୋକୁଆ ଭୟ । ବାଘ ଭୟରେ ଗାଁଲୋକ ଆଉ ଜଙ୍ଗଲକୁ ଯାଉନାହାଁନ୍ତି । ସନ୍ଧ୍ୟା ହେଲେ ଘର ତାଟି କବାଟ ପଡିଯାଉଛି । ବନବିଭାଗ ମଧ୍ୟ ଗାଁଲୋକଙ୍କୁ ସତର୍କ କରିଦେଇଛି । ସନ୍ଧ୍ୟାରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ।

ଗତବର୍ଷ ନୂଆପଡା ଜଙ୍ଗଲ ନିକଟ ହଳଦୀ ଗାଁରେ କଲରାପତରିଆ ବାଘ ଜଣେ ଶିଶୁକୁ ଝାମ୍ପି ନେଇଥିଲା । ଏହା ପରେ ବନବିଭାଗ ୨ଟି କଲରାପତରିଆକୁ ଧରି ନନ୍ଦନକାନନକୁ ପଠାଇଥିଲେ ।