ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବରରୁ ବିଭିନ୍ନ କେନ୍ଦ୍ର ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ ଏନଆରଏ ।

556

କନକ ବ୍ୟୁରୋ : ବିଭିନ୍ନ କେନ୍ଦ୍ର ସରକାରୀ ନିଯୁକ୍ତି ପାଇଁ ଆସନ୍ତା ସେପ୍ଟେମ୍ବର ମାସରୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ନିୟୋଜନ ସଂସ୍ଥା (ଏନଆରଏ) ପକ୍ଷରୁ ସେପ୍ଟେମ୍ବର ମାସଠାରୁ କେତେକ ସରକାରୀ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିବ । ଏଥିପାଇଁ ଏନଆରଏ ଏକ ସାଧାରଣ ଯୋଗ୍ୟତା ପରୀକ୍ଷା (ସିଇଟି) ଆୟୋଜନ କରିବ । ଏହା କେବଳ ଏକ ପ୍ରାରମ୍ଭିକସ୍ତରର ପରୀକ୍ଷା ହେବ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଚୂଡ଼ାନ୍ତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପଦବୀର ପ୍ରକାର ଅନୁସାରେ ଚୂଡ଼ାନ୍ତ ପରୀକ୍ଷା ଷ୍ଟାଫ ସିଲେକ୍ସନ କମିଶନ, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ, ଆଇବିପିଏସ ଆଦି ଏଜେନ୍ସିମାନେ ଆୟୋଜନ କରିବେ । ସିଇଟି ପାଇଁ ଏନଆରଏ ନିଜର ପ୍ରଶ୍ନ ପତ୍ରକୁ ଇଂରାଜୀ ସମେତ ଦେଶର ବିଭିନ୍ନ ଭାଷାରେ ପ୍ରସ୍ତୁତ କରିବାର ସମ୍ଭାବନା ରହିଛି ।

କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ ୨୮ରେ ଜାତୀୟ ନିୟୋଜନ ସଂସ୍ଥାର ସ୍ଥାପନା କରିଥିଲେ । ଏହି ସଂସ୍ଥା ଗ୍ରୁପ-ବି ଗେଜେଟେଡ ଓ ଗ୍ରୁପ-ବି ଅଣ-ଗେଜେଟେଡ୍, ଗ୍ରୁପ-ସି ପଦବୀ ପାଇଁ କମ୍ପ୍ୟୁଟର ଭିତ୍ତିକ ସାଧାରଣ ଯୋଗ୍ୟତା ପରୀକ୍ଷା ଆୟୋଜନ କରିଥାଏ ।