ବିଦେଶକୁ ଯାଉଥିଲେ ବଡ ଖବର । ଏଣିକି ଟିକା ପ୍ରମାଣପତ୍ରରେ ସଂଯୁକ୍ତ କରିପାରିବେ ପାସପୋର୍ଟ ନମ୍ବର ।

137

କନକ ବ୍ୟୁରୋ : ଏଣିକି ବିଦେଶ ଯାତ୍ରୀମାନେ କୋ-ୱିନ୍ ସାଇଟରେ ନିଜର ଟିକାକରଣ ପ୍ରମାଣପତ୍ରକୁ ପାସପୋର୍ଟ ସହ ଲିଙ୍କ୍ କରିପାରିବେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ କାରଣ ପାଇଁ ବିଦେଶ ଯାତ୍ରା କରୁଥିବା ଲୋକମାନେ ଉପକୃତ ହୋଇପାରିବେ ।

ଆରୋଗ୍ୟ ସେତୁ ଆପର ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଥିବା ସୂଚନା ଅନୁସାରେ ଲୋକମାନେ କୋ-ୱିନ୍ ଆପକୁ ଯାଇ ନିଜର ଟିକା ପ୍ରମାଣପତ୍ରରେ ନିଜର ପାସପୋର୍ଟ ନମ୍ବର ସଂଯୁକ୍ତ କରିପାରିବେ । ପାସପୋର୍ଟ ନମ୍ବର ଅପଲୋଡ କରିବାର କିଛି ସମୟପରେ ଏକ ଅପଡେଟେଡ୍ ଟିକା ପ୍ରମାଣପତ୍ର ମିଳିବ ।

ଯଦି ଟିକା ପ୍ରମାଣପତ୍ରରେ ଥିବା ନାମ ଓ ପାସପୋର୍ଟରେ ଥିବା ନାମରେ ଅମେଳ ଦେଖାଦିଏ ତେବେ ସଂପୃକ୍ତ ବ୍ୟକ୍ତି ସଂଶୋଧନ ପାଇଁ ଆବେଦନ କରିପାରିବେ । କିନ୍ତୁ ଏପରି ସଂଶୋଧନ ପାଇଁ ଥରେ ମାତ୍ର ସୁଯୋଗ ଦିଆଯିବ । ଏଣୁ ସତର୍କତାର ସହ ସଂଶୋଧନ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏବେ କୋଭିଡ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇପଡ଼ିଛି । ଅଧିକାଂଶ ଦେଶ ଏଥିପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି । ଅଧିକାଂଶ ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ତାଲିକାଭୁକ୍ତ ଟିକା ନେଇଥିବା ଲୋକମାନଙ୍କୁ ହିଁ ଗ୍ରହଣ କରୁଛନ୍ତି ।