ସିଙ୍ଗଲ ଡୋଜ୍ କରୋନା ଟିକା ପ୍ରସ୍ତୁତ କଲା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସ୍ୱାସ୍ଥ୍ୟନିୟାମକକୁ ମାଗିଲା ଅନୁମତି

93

କନକ ବ୍ୟୁରୋ : ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗିଲ୍ ଡୋଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ସ୍ୱାସ୍ଥ୍ୟ ନିୟାମକ ଠାରୁ ଅନୁମତି ପାଇଁ ଆବେଦନ କରିଛି । ସୂଚନା ମୁତାବକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ୨୯ ଦିନ ମଧ୍ୟରେ ପାଖାପାଖି ୯୦ ପ୍ରତିଶତ ସ୍ୱେଚ୍ଛାସେବୀଙ୍କ ଶରୀରରେ ଇମ୍ୟୁନ ପ୍ରୋଟିନ୍ ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହାସହ ଯେଉଁ ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟିକା ଟ୍ରାଏଲ କରାଯାଇଥିଲା ୫୭ ଦିନ ମଧ୍ୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅନ୍ୟ କମ୍ପାନୀ ମାନେ ପ୍ରସ୍ତୁତ କରିଥିବା ଟିକାକୁ ମଣିଷ ଶରୀରରେ ୨ ଥର ଦେବାକୁ ପଡୁଥିବା ବେଳେ ଏହି ଟିକା କେବଳ ଗୋଟିଏ ଡୋଜ ଦେବାକୁ ପଡିବ । ଯାହା ଫଳରେ ଏହି ଟିକାକୁ ଅନୁମତି ମିଳିଗଲେ ସରକାରଙ୍କ ତରଫରୁ ଟିକା କରଣ ଆହୁରି ସହଜ ହୋଇଯିବ । ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ମଗାଯାଇଥିବା ଅନୁମତି ଉପରେ ଆମେରିକାର ସ୍ୱାସ୍ଥ୍ୟ ନିୟାମକ ନିରୀକ୍ଷଣ କରିବ ଓ ସଲାହାକାର ସମିତି ସହିତ ବୈଠକ ପରେ ଏହାକୁ ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି ।

କହିରଖୁ କି ଭାରତରେ କୋଭିଡ-୧୯ କୁ ପ୍ରତିହତ କରିବାକୁ ଜାନୁଆରୀ ୧୬ ତାରିଖ ଠାରୁ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ଅଭିଯାନରେ ସିରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟିକା ବ୍ୟବହାର କରାଯାଉଛି । ଏହି ଟିକାକରଣ ଅଭିଯାନରେ ଟିକା ଦିଆଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୪ ଦିନ ଅନ୍ତରରେ ୨ଟି ଡୋଜ୍ ଦିଆଯାଉଛି । ହେଲେ ଜନସନ ଆଣ୍ଡ ଜନସନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ଅନୁମତି ମିଳିବା ପରେ ଏହା କେବଳ ଗୋଟିଏ ଡୋଜ ଦିଆଯିବ ଓ ତାହା ମଣିଷ ଶରୀରରେ କରୋନା ଭୂତାଣୁର ପ୍ରବେଶକୁ ଅନ୍ୟ ଟିକା ମାନଙ୍କ ଠାରୁ ଅଧିକ ଦିନ ରୋକି ପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।