ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ଓଡ଼ିଶାର ୩ ଆସନ ହେବ ଫାଙ୍କା, ଜାଣନ୍ତୁ କେଉଁ ସାଂସଦଙ୍କ କାର୍ଯ୍ୟକାଳ ହେଉଛି ଶେଷ?

371

କନକ ବ୍ୟୁରୋ : ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ଟି ଆସନ ରହିଛି । ଯେଉଁ ୩ ଆସନ ପାଇଁ ହେବ ନିର୍ବାଚନ । ଏନେଇ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।  ସେହିଭଳି ୩୧ ମେ’ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧ ଜୁନରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୩ ଜୁନ୍ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ୧୦ ଜୁନରେ ହେବ ନିର୍ବାଚନ ।

ସକାଳ ୯ଟାରୁ ୪ଟା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ହେବ ଭୋଟ । ସେହିଦିନ ଅଥାର୍ତ ୧୦ ଜୁନ୍ ୫ଟା ବେଳକୁ ଫଳାଫଳ ପ୍ରକାଶ ପାଇବ । ୧ ଜୁଲାଇରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ତାହା ପୂର୍ବରୁ ନିର୍ବାଚନ ସରିବ । ଓଡ଼ିଶାର ଏନ୍ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବ । ଆଉ ଫାଙ୍କା ହେବାକୁ ଥିବା ଏହି ଆସନ ପାଇଁ ଆସନ୍ତା ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ ।

କାର୍ଯ୍ୟକାଳ ଶେଷ ହେଉଥିବା ୩ ସାଂସଦ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଦଳ ଏମାନଙ୍କ ସ୍ଥାନରେ କାହାକୁ ଦିଲ୍ଲୀ ପଠାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାଛଡା ସବୁବେଳେ ଚମକାଇ ଦେଲା ଭଳି ନିଷ୍ପତ୍ତି ନେଉଥିବା ନବୀନ ଗତ ରାଜ୍ୟସଭା ନିର୍ବାଚନର ରିପିଟ୍ କରିବେନି ତ? ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ହାତରେ ସଂଖ୍ୟା ଥାଇ ସୁଦ୍ଧା ପୂର୍ବଥର ଗୋଟିଏ ଆସନ ବିଜେପି ହାତକୁ ଦେଇଥିଲେ ନବୀନ । ଆଉ ନବୀନଙ୍କ ସମର୍ଥନରେ ବିଜେପିରୁ ରାଜ୍ୟସଭା ସାଂସଦ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେଣୁ ଏବେ ତାହାର ପୁନରାବୃତ୍ତି ପୁଣିଥରେ ଦେଖିବାକୁ ମିଳିବ କି ନାହିଁ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।