ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ? ଏକମାତ୍ର ବାଘୁଣୀର ମିଳୁନି ଖୋଜଖବର; କ୍ୟାମେରା ଲଗାଯାଇ ରଖାଯାଇଥିଲା ନଜର

ବନବିଭାଗର କାର୍ଯ୍ୟ ଦଖତା ଉପରେ ଉଠିଲା ପ୍ରଶ୍ନ

146

କନକ ବ୍ୟୁରୋ : ବାଘଶୂନ୍ୟ ହୋଇଗଲା କି ସାତକୋଶିଆ । ଏଠାରେ ଆଉ ମହାବଳ ନାହାନ୍ତି । ରାଜ୍ୟର ଏହି ଦ୍ବିତୀୟ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଏକମାତ୍ର ବାଘୁଣୀର ଖୋଜ ଖବର ମିଳୁ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ୭୯୫କିମି ବ୍ୟାପି ଅଭୟାରଣ୍ୟରେ ବନ ବିଭାଗ କ୍ୟାମେରା ଲଗାଇ ବାଘୁଣୀ ଉପରେ ନଜର ରଖିଥିଲେ ମଧ୍ୟ ଦୁଇ ମାସ ହେଲା ବାଘୁଣୀର ପତ୍ତା ମିଳୁନି। ଶେଷଥର ଲାଗି ନଭେମ୍ବର ୨୩ରେ କ୍ୟାମେରାରେ ଦୃଶ୍ୟମାନେ ହୋଇଥିଲା। ତା’ ପରେ ନା କ୍ୟାମେରା ନଜରକୁ ଆସୁନି। ନା ବନ ବିଭାଗ କର୍ମଚାରୀ ତାକୁ ଦେଖିବାକୁ ପାଉଛନ୍ତି। ବାଘୁଣୀ ନିଖୋଜ ଥିବାରୁ ବନ ବିଭାଗ ଚିନ୍ତା ବି ବଢ଼ିଯାଇଛି। ଗୋଟିଏ ପଟେ ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଦୁଇ ବର୍ଷ ତଳେ ଏଠାରେ ଫେଲ୍‌ ମାରିଥିଲା। ଆଉ ଏବେ ବାଘୁଣୀ ନିଖୋଜ ହେବା କର୍ତୃପକ୍ଷଙ୍କ ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୦୪ରେ ସାତକୋଶିଆ ଅଭୟାରଣ୍ୟରେ ୧୮ଟି ମହାବଳ ରହିଥିଲେ। ମାତ୍ର ବନ ବିଭାଗର ଅବହେଳା ଓ ଶିକାରୀଙ୍କ ସକ୍ରିୟତା ଯୋଗୁଁ ଧୀରେଧୀରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ୨୦୧୮ ବାଘ ଗଣନା ବେଳେ ଏଠାରେ ମାତ୍ର ଗୋଟିଏ ବାଘୁଣୀ ରହିଥିଲା। ତା’ ବୟସ ୧୫ରୁ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟବସ୍ଥା ବି ଠିକ୍ ରହୁ ନ ଥିଲା। ଶରୀରରେ ଘା’ ହୋଇଥିବାରୁ ରୋଗିଣା ଅବସ୍ଥାରେ ଏଣେତେଣେ ବୁଲୁଥିଲା। ଯେଉଁଥିପାଇଁ ବନ ବିଭାଗ କର୍ମଚାରୀଙ୍କ ସମେତ କ୍ୟାମେରା ଲଗାଯାଇ ତାହା ଉପରେ ନଜର ରଖାଯାଇଥିଲା। ଅଭୟାରଣ୍ୟର କୋର ଅଞ୍ଚଳରେ ଅଧିକାଂଶ ସମୟ ରହୁଥିବା ନଜରକୁ ଆସିଥିଲା। ତେବେ ଗତ ନଭେମ୍ବର ମାସରେ ଶେଷଥର ପାଇଁ ତାକୁ କ୍ୟାମେରା ଟ୍ରାପ୍‌ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଆଉ ‌କ୍ୟାମେରା ନଜରକୁ ଆ‌ସିନାହିଁ। ବନ ବିଭାଗ କର୍ମଚାରୀ ବି ଦେଖିବାକୁ ପାଇନାହାନ୍ତି।

ଦୁଇ ମାସ ହେଲା ବାଘୁଣୀର ଖବର ମିଳୁ ନ ଥିଲେ ମଧ୍ୟ ବନ ବିଭାଗ ବାବୁମାନଙ୍କର ଏଥିପ୍ରତି କୌଣସି ଧ୍ୟାନ ନାହିଁ। ଜଙ୍ଗଲ ଅଭିବୃଦ୍ଧି ନେଇ ରାଜ୍ୟ ସରକାର ବାହାବା ଗୋଟାଇବାରେ ବ୍ୟସ୍ତ। ସମୀକ୍ଷା କରି ଜଙ୍ଗଲ କିଭଳି ବଢ଼ିବ, ସୁରକ୍ଷିତ ରହିବ, ସେଥିପ୍ରତି ଗୁରୁତ୍ବ ଦେଉଛନ୍ତି। ମାତ୍ର ଲଗାତାର ଭାବେ ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ନିଘା ନାହିଁ। ବିଭାଗୀୟ ମନ୍ତ୍ରୀ ସବୁ ଜାଣି ଆଖି ବୁଜି ଦେଇଥିବା ବେଳେ ସଚିବଙ୍କର ସମୀକ୍ଷା କରିବାକୁ ସତେଯେମିତି ଇଚ୍ଛା ହିଁ ନାହିଁ। କେବଳ ଯାହା ବାଘ ଦିବସରେ ପଦେ ଅଧେ ଲେଖି ଦେଇ ସମସ୍ତେ ‌ଚୁପ୍‌ ବସି ପଡ଼ୁଛନ୍ତି। ପରିଣାମସ୍ବରୂପ, ଦିନେ ଯେଉଁ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ପାଇଥିଲା, ଆଜି ତାହା ମାତ୍ର ୧୪ବର୍ଷ ପରେ ମାନ୍ୟତା ହରାଇବାକୁ ବସିଛି।

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତିଙ୍କ କହିବା କଥା, ବୟସାଧିକ କାରଣରୁ ଏକମାତ୍ର ବାଘୁଣୀର ମୃତ୍ୟୁ ହୋଇଥାଇପାରେ। ନ ‌ହେଲେ ଶିକାରୀଙ୍କ ପଞ୍ଝାରେ ଜୀବନ ଯାଇଛି। ଏତେ ଦିନ ଧରି କ୍ୟାମେରା କିମ୍ବା ବନ କର୍ମଚାରୀଙ୍କ ନଜରକୁ ବାଘୁଣୀ ନ ଆସିବା ଚିନ୍ତାର ବିଷୟ। ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପାଇଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷକୁ କୋଟି କୋଟି ଟଙ୍କା ଆସୁଛି। ତାହା କିଭଳି ବିନିଯୋଗ ହେଉଛି, କେତେ ବାଘ ବଂଶ ବୃଦ୍ଧି ପାଇଛି, ତାହା ସ‌ମସ୍ତେ ଜାଣନ୍ତି। ସାତକୋଶିଆରୁ ମହାବଳ ବଂଶ ଲୋପ ପାଇଥିବାରୁ ଏହାକୁ ଏବେ ବାଘ୍ର ପ୍ରକଳ୍ପ ମାନ୍ୟତାରୁ ବାଦ୍‌ ଦେବାର ସମୟ ଆସିଛି। ନ ହେଲେ ପ୍ରତିବର୍ଷ ଏମିତି ଟଙ୍କା ଆସୁଥିବ ଏବଂ ବାବୁମାନେ ହରିଲୁଟ୍‌ କରି ଖାଉଥିବେ।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବାଘୁଣୀ ନଜରକୁ ଆସୁନି। ତା’ମାନେ ନୁହେଁ ଯେ ସାତକୋଶିଆରୁ ବାଘବଂଶ ଲୋପ ପାଇଗଲା। ଆମ କର୍ମଚାରୀମାନେ ଏବେ ବି ଖୋଜୁଛନ୍ତି। ଅଭୟାରଣ୍ୟ ଭିତରେ ଲାଗିଥିବା କ୍ୟାମେରା ଉପରେ ନଜର ରଖାଯାଇଛି। କେତେକ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଅଭୟାରଣ୍ୟ ଭିତରେ କିଛି‌ ଛୋଟ ଛୋଟ ବନ୍ୟଜନ୍ତୁ ଶିକାର ହୋଇଥିବା ନଜରକୁ ଆସିଛି। ବାଘୁଣୀ ସେମାନଙ୍କୁ ମାରି ଥାଇପାରେ। ମାତ୍ର ଯେପର୍ଯ୍ୟନ୍ତ ବାଘୁଣୀ ଦେଖା ନଯାଇଛି, ସେପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ କହି ହେବ ନାହିଁ ।