ଡ଼୍ରେସ ସଫା କରିବା ଟେନସନ ଗଲା ! ଏଣିକି ଡ୍ରେସରେ ଲାଗିବନି କୌଣସି ଦାଗ, ଭାରତରେ ପ୍ରସ୍ତୁତ ହେଲା ନୂଆ ଧରଣର ପୋଷାକ

37

କନକ ବ୍ୟୁରୋ : ଡ୍ରେସରେ ଦାଗ ଲାଗିଲେ ସମସ୍ତେ ବେଶ୍ ଚିନ୍ତିତ ହୋଇଯାଆନ୍ତି । କିନ୍ତୁ ଏବେ ସେହି ଚିନ୍ତାରୁ ଆପଣମାନଙ୍କୁ ମିଳିପାରିବ ମୁକ୍ତି । କାରଣ ଖୁବଶୀଘ୍ର ବଜାରରେ ମିଳିବ ଏମିତି ପୋଷାକ ଯେଉଁଥିରେ ସସ୍, ଚା କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ପଡିଲେ ଦାଗ ପଡିବ ନାହିଁ ।

ସାଧାରଣତଃ ପ୍ୟାଣ୍ଟ, ସାର୍ଟ କିମ୍ବା ଡ୍ରେସରେ ଦାଗ ଲାଗିଗଲେ ସଫା କରିବା ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ । ମାତ୍ର ଏବେ ବଜାରକୁ ଆସିଛି ଏମିତି ପୋଷାକ ଯେଉଁଥିରେ ସହଜରେ ଦାଗ ଲାଗିବ ନାହିଁ । ଚା, କଫି କିମ୍ବା କିଛି ଖାଦ୍ୟ ସାମଗ୍ରୀ ପଡିଲେ ପୋଷାକରେ ଦାଗ ଲାଗିବ ନାହିଁ । କିଛି ଏମିତି ଡ୍ରେସ୍ ତିଆରି କରିଛନ୍ତି ବେଙ୍ଗାଲୁରୁର ଏକ ଷ୍ଟାର୍ଟ ଅପ୍ ସଂସ୍ଥା ବିଗଫି ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ । ‘ଟର୍ମସ୍’ ନାମକ ଏକ ବ୍ରାଣ୍ଡର ପୋଷାକ ତିଆରି କରିଛି ଏହି କମ୍ପାନୀ । ଏହି ପୋଷାକରେ କୌଣସି ଦାଗ ଲାଗିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ନିକଟରେ ଓଡିଶାରେ ଏକ ଟ୍ରେଡ୍ ସୋ ମାଧ୍ୟମରେ ଏହି ସବୁ ପୋଷାକ ଉନ୍ମୋଚନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ପୁରୁଷ ବର୍ଗ ପାଇଁ ଟି-ସାର୍ଟ, ଟ୍ରାକ୍ ପ୍ୟାଂଟ ପ୍ରସ୍ତୁତ କରାଯାଇଛି । ପରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଡ୍ରେସ୍ ତିଆରି କରିବାକୁ ଯୋଜନା ରଖିଛି କମ୍ପାନୀ । ଟର୍ମସ୍ ବ୍ରାଣ୍ଡର ଏହି ପୋଷାକର ମୂଲ୍ୟ ୭୯୯ଟଙ୍କାରୁ ଆରମ୍ଭ ହୋଇ ୧୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି । ବର୍ତମାନ ସମୟରେ ଅନଲାଇନ ସପିଙ୍ଗର ଚାହିଦା ରହିଥିବା ବେଳେ ଏହି ବ୍ରାଣ୍ଡର ପୋଷାକ ଅଳ୍ପକିଛି ଅନଲାଇନ ସାଇଟରେ ଉପଲବ୍ଧ ହେଉଥିବା ବେଳେ ଆଗକୁ ଅଧିକ ସାଇଟରେ ବିକ୍ରି ହେବା ନେଇ କମ୍ପାନୀ କର୍ତୃପକ୍ଷ କହିଛନ୍ତି ।