କାମରେ ଆସୁନି ଯୋଜନା : ଆଜିବି ଝରଣା ପାଣି ଉପରେ ଭରସା କରୁଛନ୍ତି ଲୋକେ

ପାଦ ଚଲା ରାସ୍ତା ଭରସା, ୧୦ କିଲୋମିଟର ଚାଲିଲେ ଟଙ୍କିକିଆ ଚାଉଳ

83

କନକ ବ୍ୟୁରୋ : ଆଦିବାସୀଙ୍କ ବିକାଶ ନିମନ୍ତେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥି ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏବେ ବି ସେମାନଙ୍କ ପାଖରେ ଯୋଜନା ଅପହଞ୍ଚ । ଜଙ୍ଗଲରେ ବର୍ଷବର୍ଷ ଧରି ବସବାସ କରି ଆସୁଥିବା ବେଳେ ଝରଣା ପାଣିକୁ ଭରସା କରି ଜୀବନ ବିତାଉଛନ୍ତି । ଗମନାଗମନା,ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ,ବିଦ୍ୟୁତ ବିନା ନିରୀହ ଆଦିବାସୀ ଦୁର୍ବିସହ ଜୀବନ ବିତାଉଛନ୍ତି । ପୁଲବାଣୀ ଜିଲ୍ଲାରେ ଏମିତି ଅନେକ ଗାଁ ଅଛି, ଯାହା ବହୁ ପ୍ରଚାରିତ ଯାଜପୁର ନଗଡ଼ା ଠାରୁ ଆହୁରି ଦୁର୍ବିସହ ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିକରମାହା ହାତିଗୁଣ୍ତା ପଞ୍ଚାୟତ ଅନ୍ତର୍ଗତ ଡାହୁ ଗାଁ ଏହାର ଏକ ଉଦାହରଣ । ଜଙ୍ଗଲ ଓ ପାହାଡ ଘେରା ଡାହୁ ଗାଁରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି । ଲୋକ ସ˚ଖ୍ୟା ପ୍ରାୟ ୧୭୦ରୁ ଉର୍ଦ୍ଧ୍ବ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର । ରୋଜଗାର ପନ୍ଥା କିଛି ନାହିଁ । ଜଙ୍ଗଲରୁ କାଠ ସ˚ଗ୍ରହ ଓ ଜଙ୍ଗଲଜାତ ଦ୍ରବ୍ୟ ଯୋଗାଡ କରିଥାନ୍ତି । ଏହାକୁ ବିକ୍ରି କଲେ ଯାହା କିଛି ଟଙ୍କା ମିଳେ ସେଥିରେ ପରିବାର ଚଳାଇଥାନ୍ତି । ଗାଁର ଛୋଟଛୋଟ ପିଲା ଅପପୃଷ୍ଟିର ଶିକାର ହେଉଛନ୍ତି । ଏମିତି କି ଆବଶ୍ୟକ ହେଲେ ଗ୍ରାମବାସୀ ଆମ୍ବ ଟାକୁଆକୁ ଜାଉ କରି ଖାଆନ୍ତି । ଦେଶ ସ୍ବାଧୀନତା ହେବାର ୭୨ ବର୍ଷ ପରେ ବି ଏହି ଗାଁକୁ ଗମନାଗମନା ନିମନ୍ତେ ସବୁ ଦିନିଆ ରାସ୍ତାଟିଏ ନାହିଁ । ଏମିତି କି ୨ ଚକିଆ ଗାଡି ବି ଗାଁକୁ ଯିବା ସମ୍ଭବ ନୁହେଁ ।

କାହାର ଦେହ ଖରାପ ହେଲେ ଭାଗ୍ୟକୁ ଆଦରିବା ଛଡା ଅନ୍ୟ ଉପାୟ ନାହିଁ । ଗାଁଠାରୁ ପଞ୍ଚାୟତ କାର‌୍ୟ୍ୟାଳୟର ଦୁର ୧୦ କିଲୋମିଟର । ଏତେ ଦୂର ଚାଲିବା ସହ ଟଙ୍କିକିଆ ଚାଉଳ ପାଇଁ ୩ଟି ପାହାଡ ଚଢିବାକୁ ପଡୁଛି ବୋଲି କହନ୍ତି ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଣେଶ୍ବର ପ୍ରଧାନ। ବିଜୁଆ ଆଲୁଅ ସାତ ସପନ । ଡିବିର ଆଲୁଅରେ କାମ ଚଳୁଛି । ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଗାଁଠାରୁ ୨ କିଲୋମିଟର ଦୂରରେ ଥିବା ଝରଣା ପାଣି ସେମାନଙ୍କ ସାହା ଭରସା । କିଛି ବର୍ଷ ପୂର୍ବେ ଏକ ସ୍ବେଚ୍ଛାସେବୀ ସ˚ଗଠନ ସହଯୋଗରେ ଗାଁରେ ଏକ କୂପ ଖନନ ହୋଇଛି । ଖରା ଦିନେ ଏହି କୂଅରୁ ମଧୢ ପାଣି ବାହାରୁ ନାହିଁ । ଯାହା ଫଳରେ ସମସ୍ତ ଗ୍ରାମବାସୀ ସେହି ଝରଣା ପାଣି ବ୍ୟବହାର କରୁଛନ୍ତି ।

 

ବହୁ ଦାବି ପରେ ଗାଁରେ ଏକ ସ୍କୁଲ ଖୋଲିଛି ସତ ହେଲେ ଶିକ୍ଷକ କେତେବେଳେ ଆସୁଛନ୍ତି ଆଉ ଯାଉଛନ୍ତି କାହାରିକୁ ଜଣା ନାହିଁ । ଆଦିବାସୀ ବହୁଳ ଜିଲ୍ଲାରେ ଛୋଟଛୋଟ ଗାଁକୁ ରାଜସ୍ବ ଗାଁର ମାନ୍ୟତା ମିଳୁଥିବା ବେଳେ ଡାହୁ ଗାଁ ଏଥିରୁ ବାଦ ପଡିଛି । ସରକାରୀ ବାବୁଙ୍କର ପାଦ କେବେ ପଡେ ନାହିଁ । ଭୋଟ ସମୟରେ ନେତାଙ୍କ ଦେଖା ମିଳେ । ତାପରେ ପୁଣି ୫ ବର୍ଷ ପରେ ଦେଖା । ଗାଁର ସମସ୍ୟା ନେଇ ସରକାର ଓ ଜିଲ୍ଲା ପ୍ରଶାସନକୁ ବହୁବାର ଗୁହାରି କରାଯାଇଥିଲେ ବି କେହି ଦୁଃଖ ଶୁଣୁ ନାହାନ୍ତି ବୋଲି କହନ୍ତି କାଳିସୁଧା ପ୍ରଧାନ ।