କନକ ବ୍ୟୁରୋ: ବିରୋଧୀ ଦଳଙ୍କ ଇଣ୍ଡିଆ ନାଁକୁ ନେଇ କେଁ ଦେଖାଦେଇଛି । ମେଂଟରେ ସାମିଲ ୨୬ ଦଳ ବିରୋଧରେ ନୂଆଦିଲ୍ଲୀ ବାରଖମ୍ବା ରୋଡ୍ ଥାନାରେ ମାମଲା ହୋଇଛି । ଅଭିଯୋଗରେ କୁହାଯାଇଛି ଯେ, ଏହି ଦଳମାନେ ନିଜ ମେଂଟର ନାଁ ଇଣ୍ଡିଆ ରଖି ଏମ୍ବଲେମ୍ ଆକ୍ଟର ଉଲଂଘନ କରିଛନ୍ତି । ପ୍ରତୀକ ଅଧିନିୟମ ଧାରା-୩ ଅନୁସାରେ କୌଣସି ବ୍ୟକ୍ତି ବା ସଂଗଠନ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଇଣ୍ଡିଆ ନାଁକୁ ବ୍ୟବହାର କରିପାରିବେ ନାହିଁ । ବିରୋଧୀ ଦଳମାନେ ନିଜ ମେଂଟର ନାମ ଇଣ୍ଡିଆ ରଖିବା ଦ୍ୱାରା ଅନେକ ଭାରତୀୟଙ୍କ ଭାବନାକୁ ଆଘାତ ଦେଇଛି ବୋଲି ଆବେଦନରେ ଦର୍ଶାଇଛନ୍ତି ଦିଲ୍ଲୀର ଅବିନାଶ ମିଶ୍ର ନାମକ ଜଣେ ଆଇନଜୀବୀ । ଆଇନର ଉଲଂଘନ କରିଥିବା ଏହି ଦଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ଆସନ୍ତା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏକାଠି ଲଢିବା ପାଇଁ ବେଙ୍ଗାଳୁରୁରେ ଅନୁଷ୍ଠିତ ବୈଠକରେ ୨୬ଟି ବିରୋଧୀ ଦଳ ସହମତ ହୋଇଥିଲେ । ସେମାନେ ନିଜ ମେଂଟ ନାଁ ଇଣ୍ଡିଆ ରଖିବାକୁ ଘୋଷଣା କରିଥିଲେ ।

Advertisment

ବିରୋଧୀ ଦଳମାନେ ମେଂଟର କାର୍ଯ୍ୟାଳୟ ନୂଆ ଦିଲ୍ଲୀରେ ଖୋଲିବାକୁ ଘୋଷଣା କରିଛନ୍ତି । ମେଂଟ ନାଁରେ ସେମାନେ ପ୍ରଚାର ମଧ୍ୟ କରିବେ । ଏଭଳି କ୍ଷେତ୍ରରେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ହେଲେ ଇଣ୍ଡିଆ ନାଁକୁ ନେଇ ପଞ୍ଜିକରଣ କରିବା ଏତେ ସହଜ ହେବ ନାହିଁ ।

- ‘ଇଣ୍ଡିଆ’ ନାଁରେ କୌଣସି ସଂସ୍ଥା ପଞ୍ଜିକରଣ ହୋଇପାରିବ ନାହିଁ

- ୱେବସାଇଟ୍, କମ୍ପାନୀ କିମ୍ବା ସଂଗଠନକୁ ପଞ୍ଜିକରଣ କରାଯାଇପାରିବନି 

- ଏହି ନାମର ପୂର୍ବରୁ ବା ପରେ ଅନ୍ୟ କୌଣସି ନାମ ରଖିବା ଆବଶ୍ୟକ

- ‘ଦ ଏମ୍ବ୍ଲେମ୍ସ ଆଣ୍ଡ ନେମ୍ସ ଆକ୍ଟ ୧୯୫୦ରେ ଏହି ନିୟମ ରହିଛି

- ଇଣ୍ଡିଆ ଟିଭି, ଏନ୍ଡିଟିଭି ଇଣ୍ଡିଆ ଓ ଟାଇମ୍ସ ଅଫ୍ ଇଣ୍ଡିଆ ନାଁରେ ଇଣ୍ଡିଆ ଶବ୍ଦ ବ୍ୟବହାର ହୋଇଛି

- ପଞ୍ଜିକରଣ ହେବା ପରେ ୱେବସାଇଟ୍ ଖୋଲିପାରିବେ

- ସୋସିଆଲ ମିଡିଆ ହେଣ୍ଡେଲ ମଧ୍ୟ ଆରମ୍ଭ କରିପାରିବେ