ରେଲୱେର ହେବନି ଘରୋଇକରଣ । କେନ୍ଦ୍ରମନ୍ତ୍ରୀ ଦେଲେ ବଡ ବୟାନ । 

213

କନକ ବ୍ୟୁରୋ : ରେଲୱେର ହେବନି ଘରୋଇକରଣ । ଏନେଇ ସ୍ପଷ୍ଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏତେ ପରିଶ୍ରମ କରୁଛନ୍ତି, ତେଣୁ ଆମମାନଙ୍କୁ ବି ପରିଶ୍ରମ କରିବାକୁ ପଡିବ । ରେଲୱେରେ ଯେଉଁ ବିକାଶମୂଳକ କାର୍ଯ୍ୟ ହେଉଛି ସେଥିରେ ସରକାରୀ ଅଧିକାରୀଙ୍କ ପୂରା ସହଯୋଗ ରହୁଛି । ଗତ ସାତ ବର୍ଷ ହେବ ରେଳଷ୍ଟେସନରେ ସ୍ୱଚ୍ଛତା ଉପରେ ବେଶ ଗୁରୁତ୍ୱ ଦିଆଯାଉଛି । ଯାହା କିଛି ବି ପଦକ୍ଷେପ ନିଆଯାଉଛି ସେଥିରେ ରେଲୱେର ବିକାଶ ଦିଗରେ ଖର୍ଚ୍ଚ କରାଯାଉଛି ।

ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଲୱେର ଘରୋଇକରଣ ପାଇଁ କୌଣସି ଯୋଜନା ନାହିଁ । ରେଲୱେରେ ଥିବା ୧୨ ଲକ୍ଷ କର୍ମଚାରୀ ଓ ୨ କୋଟି ଭେଣ୍ଡର୍ସଙ୍କୁ ବିସ୍ତାର କରିବା ଲକ୍ଷ୍ୟ ରହିଛି । ଏବେ ରେଲୱେ ଷ୍ଟେସନର ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ନୂଆ ଯୋଜନା ସାମ୍ନାକୁ ଆଣୁଛନ୍ତି । ଯାହାର ଝଲକ ଗାନ୍ଧୀନଗର ଓ ହବିବଗଞ୍ଜ ରେଳଷ୍ଟେସନରେ ଦେଖିବାକୁ ମିଳିଛି । ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ଟି ରେଳଷ୍ଟେସନର ନବକଳେବର ହେବ ।

ସେହିଭଳି ଶ୍ରୀନଗର-ଉଧମପୁର ରେଳଲାଇନକୁ ନେଇ ଅଶ୍ୱିନୀ କହିଛନ୍ତି, ଏଠାକାର ଭୌଗଳିକ ସ୍ଥିତି ଅତି ସଙ୍ଗୀନ । କାରଣ ଏଠାରେ ବାରମ୍ବାର ପାହାଡ ଧସିଥାଏ । କିନ୍ତୁ ଏବେ ଏଠାରେ କାମ ଜୋରଦାର ଚାଲିଛି ଏବଂ ୨୦୨୪ ସୁଦ୍ଧା ଏଠାରେ ଟ୍ରେନ ଚାଲିବ ।