ମଙ୍ଗଳବାରଠୁ ଆରମ୍ଭ ହେବ ୨ ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା । ଯଥେଷ୍ଟ ସମୟ ଥିବାରୁ ବ୍ୟାଙ୍କରେ ଭିଡ ନକରିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପରାମର୍ଶ

80

କନକ ବ୍ୟୁରୋ : ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ଅବଧି ରହିଛି । ତେଣୁ ଏହାକୁ ନେଇ ଲୋକମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ବ୍ୟାଙ୍କରେ ଗହଳି କରନ୍ତୁ ନାହିଁ । ସମୟ ଦେଖି ସେପ୍ଟେମ୍ବର ୩୦ ଭିତରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ । ମଙ୍ଗଳବାରଠୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେଉଛି । ଏହାପୂର୍ବରୁ ନୋଟକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ବ୍ୟାଙ୍କ ଗୁଡିକରେ ନୋଟ୍ ବଦଳାଇବାକୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ୨ ହଜାର ଟଙ୍କିଆ ନୋଟ୍ ବୈଧ ରହିବ ବୋଲି ମଧ୍ୟ ସେ କହିଛନ୍ତି । ନୋଟକୁ ଦେଖାଦେବାକୁ ସ୍ଥିତି ଉପରେ ଆରବିଆଇର କରେନ୍ସି ମ୍ୟାନେଜମେଂଟ ନଜର ରଖିଛି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ ।

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା ପରେ ଚିନ୍ତାରେ ବ୍ୟବସାୟୀ ଓ ସାଧାରଣ ଲୋକ । ଦୁଇ ହଜାର ଟଙ୍କା ନୋଟରେ ସୁନା ଗହଣା କିଣା ଅଧିକ ହୋଇଛି ।ମୁମ୍ବାଇ, ଦିଲ୍ଲୀ, ସୁରଟ ଭଳି ବଡ ବଡ ସହରରେ ଗହଣା ଦୋକାନରେ ଗ୍ରାହକଙ୍କ ପ୍ରବଳ ଗହଳି ଜମୁଥିବା ଦେଖିବାକୁ ମିଳୁଛି । ସେହିପରି ପେଟ୍ରୋଲ ପମ୍ପକୁ ଅଧିକ ୨୦୦୦ ଟଙ୍କିଆ ନୋଟ ଆସୁଥିବା ସୂଚନା ମିଳିଛି । ଲୋକେ ୨୦୦୦ ଟଙ୍କିଆ ନୋଟ ନେଇ ତେଲ ପକାଉଥିବା ଦେଖିବାକୁ ମିଳିଛି । ଗୁଜରାଟରେ ୧୯୦ ପେଟ୍ରୋଲ ପମ୍ପକୁ ଦିନକରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ୨୦୦୦ ଟଙ୍କିଆ ନୋଟ ଆସିଛି । ତେବେ ବ୍ୟାଙ୍କରେ ଏହି ନୋଟ୍ ବଦଳାଇବା ପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।