କନକ ବ୍ୟୁରୋ : ସରକାରୀ ଭାବେ ଓଡ଼ିଶାରେ ଦାଦନ ସଂଖ୍ୟା ୪୦୦୮୮ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ । ରାଜ୍ୟରୁ ୪୦୦୮୮ ଜଣ ଶ୍ରମିକ ବାହାର ରାଜ୍ୟ ତଥା ଦେଶକୁ ଦାଦନ ଖଟିବାକୁ ଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକ ମାନେ ବାହାରକୁ ଯାଇଛନ୍ତି।

Advertisment

ରାଜ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୨୬୧୫୧ ଜଣ ଦାଦନ ଖଟିବାକୁ ଯାଇଥିବା ବେଳେ ୯ଟି ଜିଲ୍ଲାରୁ କୌଣସି ବ୍ୟକ୍ତି ଦାଦନ ଖଟିବାକୁ ବାହାରକୁ ଯାଇନାହାନ୍ତି । ସେହିଭଳି ଦାଦନ ରୋକିବା ଦିଗରେ ସରକାର ଅନେକ ପଦକ୍ଷେପ ହାତକୁ ନେଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ପ୍ରବାସି ଶ୍ରମିକଙ୍କୁ ବିଭିନ୍ନ କର୍ମ ଯୋଗାଣକ୍ଷମ ଯୋଜନା ଏବଂ ସ୍ୱ ରୋଜଗାର ଯୋଜନାରେ ଅର୍ନ୍ତଭୁକ୍ତ କରାଯାଉଅଛି । ଏହାବ୍ୟତୀତ ବଲାଙ୍ଗୀର, ବରଗଡ, କଳାହାଣ୍ଡି ଧ ନୁଆପଡା ଜିଲ୍ଲାର ୨୦ ଗୋଟି ବ୍ଲକରେ ରାଜ୍ୟ ସରକାର ପ୍ରବାସି ଶ୍ରମିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେଉଛି । ଯେଉଁଥିରେ ମନରେଗା ଯୋଜନାରେ କାର୍ଯ୍ୟଦିବସକୁ ୩୦୦ ଦିନ ବୃଦ୍ଧି କରାଯିବା ସହ ଏହା ଅନ୍ତର୍ଗତ ଦିଆଯାଉଥିବା ମଜୁରୀକୁ ଓଡ଼ିଶାରେ ଅଣକୁଶଳୀଙ୍କ ମଜୁରୀ ସହ ସମାନ କରାଯାଇଛି ।