ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ । ବୋଲବମ ଉପରେ ଲାଗିଲା କଟକଣା, ଜଳାଭିଷେକ କରିପାରିବେନି ଭକ୍ତ ।  ୮ ତାରିଖ ଯାଏଁ କଟକ ସଟଡାଉନ । 

290

କନକ ବ୍ୟୁରୋ : ବଢୁଥିବା ସଂକ୍ରମଣକୁ ଦେଖି ଚଳିତ ବର୍ଷର ବୋଲବମ୍ ଉପରେ କଟକଣା ଲାଗିଛି । ଚଳିତ ବର୍ଷ ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ସେପଟେ କଟକରେ ୮ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରିଛି ସିଏମସି । ତେବେ ସକାଳ ୫ରୁ ସନ୍ଧ୍ୟା ୬ଯାଏ କେବଳ ଗ୍ରୋସରୀ, ପନିପରିବା ଓ କ୍ଷୀର ବିକ୍ରି ପାଇଁ ଅନୁମତି ଦିଆଯାଇଛି । ସେପଟେ ବୁର୍ଲାର କିଛି ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଗଞ୍ଜାମରେ ସଂକ୍ରମଣ ପରିଚାଳନା ପାଇଁ ୨ ଜଣ ଆଇଏଏସ  ଓ ୬ ଜଣ ଓଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।

ଶ୍ରାବଣ ମାସ ସୋମବାରରେ ଏଥର ଜମିବନି କାଉଡିଆଙ୍କ ଗହଳି । ଶୈବପୀଠରେ ଜଳାଭିଷେକ କରିପାରିବେନି ବୋଲବମ୍ ଭକ୍ତ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ ନିଷ୍ପତି । ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର । ଶୁକ୍ରବାର ଠାରୁ ହଜାର ହଜାର କାଉଡିଆ କାନ୍ଧରେ ବାହୁଙ୍ଗି ଧରି ଖାଲି ପାଦରେ ଜଳାଭିଷେକ ପାଇଁ ବାହାରି ଯାଇଥାନ୍ତି  ଶିବ ମନ୍ଦିରକୁ । ହେଲେ ଚଳିତ ବର୍ଷ ଶ୍ରାବଣ ସୋମବାରରେ କୌଣସି କାଉଡିଆ ନଦୀ କିମ୍ବା ପୁଷ୍କରିଣୀରୁ ପାଣି ଉଠାଇପାରିବେନି ଏବଂ ଶିବାଳୟ ଯାଇ ଜଳାଭିଷେକ କରିପାରିବେନି ବୋଲି ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏସବୁ ଭିତରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ୮ ତାରିଖ ଯାଏ ମଧ୍ୟରାତ୍ର ଯାଏ ବନ୍ଦ ରହିବ ପୁରା କଟକ ସହର । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିଏମସି ଏଭଳି ନିଷ୍ପତି ନେଇଛି । ଏହି ସମୟରେ ଘରକୁ ଘର ବୁଲି କଂଟାକ୍ଟ ଟ୍ରେସିଂ ଜାରି ରହିବ । ତେବେ ସଟଡାଉନ୍ ସମୟରେ କିଛି କଟକଣା କୋହଳ କରିଛନ୍ତି କଟକ ମ୍ୟୁନିସପାଲ କମିଶନର ।

– ଶନି, ରବି ସଟଡାଉନ୍ ପରେ ବୁଧବାର ଯାଏ ସଟଡାଉନ୍ ଲାଗୁ

– ଜରୁରୀ ନଥିଲେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ

– ସମସ୍ତ ପ୍ରକାରର ଦୋକାନ ବଜାର ବନ୍ଦ ରହିବ

– ସକାଳ ୫ରୁ ସନ୍ଧ୍ୟା ୬ଯାଏ କେବଳ ଗ୍ରୋସରୀ, ପନିପରିବା ଓ କ୍ଷୀର ବିକ୍ରି ଅନୁମତି

– ଔଷଧ ଦୋକାନ, ବିଦ୍ୟୁତ୍ ଓ ଜଳ ଯୋଗାଣ ସେବା ଜାରି ରହିବ

ଅନ୍ୟପଟେ  ଲୋକାଲ କେସ୍ ଜଣାପଡିବା ପରେ ବୁର୍ଲାର କିଛି ଅଂଚଳରେ ୫ ଦିନ ଯାଏ କଟକଣା ଜାରି ହୋଇଛି । ଆର୍ କଲୋନୀ, ଚିପିଲିମା, ପିସିି ବ୍ରିଜ୍ରୁ ଫାଣ୍ଡି ଛକ, କିର୍ବା, ପାଣି ଟାଙ୍କି ପଡା, ବସନ୍ତ ବିହାର ଅଂଚଳରେ ୧୪୪ ଧାରା ଜାରି । .. ସେପଟେ ୧୧ତାରିଖ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଭିସୁଟ । ଶନିବାର ପୁଣି ଜଣେ ଅଧ୍ୟାପକ ଓ ୩ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ କୁଳପତି ଏହି ନିଷ୍ପତି ନେଇଛନ୍ତି । ଭିସୁଟର ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗଂଜାମରେ କରୋନା ପରିଚାଳନା ପାଇଁ ୨ ଆଇଏଏସଙ୍କ ଏବଂ ୬ ଜଣ ଓଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଏଏସ ପାରୁଲ ପଟୱାରୀ ଏବଂ ବିଶାଲ ସିଂଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ପାରୁଲ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ ଏବଂ ବିଶାଲ ସିଂଙ୍କୁ ଭଂଜନଗର ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି ।