କନକ ବ୍ୟୁରୋ : ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜ୍ୟରେ କେତେ ସଂଖ୍ୟକ ପ୍ରାଇମେରୀ, ଅପର ପ୍ରାଇମେରୀ, ସେକେଣ୍ଡାରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଅଛି । ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନରେ କେତେ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି ଏବଂ କେତୋଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ସେନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଭୂପିନ୍ଦର ସିଂ ।

Advertisment

ଯାହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୫୨୮୦୭ଟି ସ୍କୁଲ ରହିଛି । ଚଳିତ ବର୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଥିବା ୨୦୦୦୦ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶିତ ହେବା ସହ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ସେହିଭଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫୪୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ଓଏସଏସସି ଜରିଆରେ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି । ସେହିଭଳି ୬୯୦ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ପାଇଁ ୨୦୬୪ଟି ଶିକ୍ଷକ ପଦବୀ ପୂରଣ ପାଇଁ ଏସଏସବି ଜରିଆରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ସେହିଭଳି ଚଳିତ ବର୍ଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୨ଟି ପ୍ରଧାନ ଶିକ୍ଷକ ପଦବୀରେ ଯୋଗ୍ୟ ବିବେଚିତ ଓଇଏସ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ୩୩୫ଟି ପିଜିଟି ପଦବୀ ପୂରଣ ନିମନ୍ତେ ଓପିଏସସି ଜରିଆରେ ଚୟନ କରାଯାଇ ୩୨୭ଟି ପିଜିଟି ପଦବୀରେ ନିଯୁକ୍ତି ଦିଆଯାଇଛି । ଏହାବାଦ୍ ୧୦୦୮ଟି ପିଜିଟି ପଦବୀ ପୂରଣ ନିମନ୍ତେ ବିହିତ ପଦକ୍ଷେପ ନିଆଯାଉଛି । ଏହାବାଦ୍ ୨୨୬ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୫୪୩ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଉକ୍ତ ପଦବୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୫୫ଟି ପଦବୀ ପୂରଣ ନିମନ୍ତେ ଏସଏସବି ମାଧ୍ୟମରେ ପ୍ରକ୍ରିୟା ଜାରି ରହିଛି ।

ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୭୯୯୮ଟି ପଞ୍ଚାୟତରେ ୮୦୯୯ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ୪୨୬ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ ।