ହେଲମେଟ ନାହିଁ ତ ଚା’ ନାହିଁ । ସଡକ ଦୁର୍ଘଟଣା ରୋକିବାକୁ ଦୋକାନୀଙ୍କ ନିଆରା ପ୍ରୟାସ, ଜାଣନ୍ତୁ କେଉଁଠି

42

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ସଡକ ଦୁର୍ଘଟଣା ବଢି ବଢି ଚାଲିଛି । କିନ୍ତୁ ଏତେ ସବୁ ପରେ ମଧ୍ୟ ଚେତୁ ନାହାନ୍ତି ଗାଡି ଚାଳକ । ବିନା ହେଲମେଟରେ ଗାଡି ଚଳାଇବା ସହ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁମୁଖରେ ପଡିବା ସହ ଅନ୍ୟ ମାନଙ୍କୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି । ସଡକ ଦୁର୍ଘଟଣା ରୋକିବାକୁ ସରକାର ବିଭିନ୍ନ ଉପାୟରେ ସଚେତନ କରୁଥିଲେ ମଧ୍ୟ ଏହାର ପ୍ରଭାବ ଗାଡି ଚାଳକଙ୍କ ଉପରେ ଟିକିଏ ବି ପଡୁନାହିଁ । ଯେଉଁଥିପାଇଁ ଅକାଳରେ ଜୀବନ ଚାଲି ଯାଉଛି । ତେଣୁ ସଡକ ଦୁର୍ଘଟଣା ରୋକିବାକୁ ଏକ ଅଭିନବ ଉପାୟ ଆପଣାଇଛନ୍ତି ଜଣେ ଚା’ ବିକାଳୀ । ହେଲମେଟ ନାହିଁ ତ ଚା’ ନାହିଁ । ଆଉ ଚା’ବିକାଳୀଙ୍କ ଏଭଳି ପ୍ରୟାସ ଲୋକମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି ।


ପୂର୍ବରୁ ହେଲମେଟ ନଥିଲେ ପେଟ୍ରୋଲ ମିଳୁନଥିଲା । ସଡକ ଦୁର୍ଘଟଣା ରୋକିବାକୁ ଏଭଳି ପଦକ୍ଷେପ ନେଇଥିଲା ରାଜ୍ୟ ପୋଲିସ । ଏପରିକି ସଡକ ଦୁର୍ଘଟଣା ରୋକିବାକୁ କମିଶନରେଟ ପୋଲିସ ସୋସିଆଲ ମିଡିଆରେ ବାରମ୍ବାର ସଚେତନ କରୁଛି । କିନ୍ତୁ ଏହାପରେ ମଧ୍ୟ ଫଳ ଶୂନ । କିନ୍ତୁ ଏବେ ହେଲମେଟ ନଥିଲେ ଚା’ ଟୋପାଏ ମଧ୍ୟ ମିଳିବ ନାହିଁ । କେନ୍ଦୁଝର ପଳାଶପଙ୍ଗରେ ଏଭଳି ଏକ ଚା’ ଦୋକାନ ରହିଛି ଯେଉଁଠି ବିନା ହେଲମେଟରେ ଗଲେ ଚା’ ଦେଉନାହାନ୍ତି ଦୋକାନୀ । ତେବେ ଏହା ପଛର କାରଣ ମଧ୍ୟ ଦୋକାନୀ ଜଣକ କହିଛନ୍ତି ।

ଦୋକାନୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ସେ ଏଠାରେ ଚା’ ଦୋକାନ କରିଛନ୍ତି । ରାସ୍ତା କଡରେ ଦୋକାନ ହୋଇ ଥିବାରୁ ଅନେକ ଥର ଆଖି ଆଗରେ ସଡକ ଦୁର୍ଘଟଣା ଦେଖିଛନ୍ତି । ଏପରିକି ଏହିସବୁ ଦୁର୍ଘଟଣାରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ହେଲମେଟ ପିନ୍ଧିଥିଲେ ହୁଏତ ଏମାନେ ବଞ୍ଚିଯାଇଥାନ୍ତେ ବୋଲି ଦୋକାନୀ ଜଣକ ଅନୁଭବ କରିଥିଲେ । ତେଣୁ ଏହିଭଳି ଦୁର୍ଘଟଣା ରୋକିବାକୁ ନିଆରା ଢଙ୍ଗରେ ଲୋକମାନଙ୍କୁ ସଚେତନ କରାଇଥିଲେ ଦୋକାନୀ । ହେଲମେଟ ନ ପିନ୍ଧି ଆସୁଥିବା ଗାଡି ଚାଳକଙ୍କୁ ଚା’ ନ ଦେବାକୁ ନିଷ୍ୱତି ନେଇଥିଲେ । ମୋର ବେପାର ହେଉ କି ନ ହେଉ କିନ୍ତୁ ବାଇକ ଚାଳକ ବିନା ହେଲମେଟରେ ଆସିଲେ ଚା ମିଳିବନି ବୋଲି କହିଥିଲେ ଦୋକାନୀ । ଏହାଛଡା ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରିବାକୁ ଆଦୌ ଭୁଲନ୍ତି ନାହିଁ ଏହି ଦୋକାନୀ ଜଣକ । ଆଉ ଦୋକାନୀଙ୍କ ଏଭଳି ପ୍ରୟାସକୁ ଲୋକମାନେ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।