ପରମବୀରଙ୍କ ଠିକଣା ଜଣାଅ ନଚେତ୍ ହେବନି ଶୁଣାଣି : ସୁପ୍ରିମକୋର୍ଟ

137

କନକ ବ୍ୟୁରୋ: ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କ ପତ୍ତା ନମିଳିବା ଯାଏଁ ତାଙ୍କ ଆବେଦନ ଉପରେ ଶୁଣାଣି ସମ୍ଭବ ନୁହେଁ । ଏପରି କହିଛନ୍ତି ସୁପ୍ରିମକୋର୍ଟ । ପଳାତକ ଘୋଷିତ ହେବା ପରେ ପରମବୀର ସିଂହ ତାଙ୍କ ବିରୋଧରେ ଲାଗୁ ହୋଇଥିବା ଅପରାଧିକ ମାମଲାଜନିତ ଗିରଫଦାରି ଏଡ଼ାଇବା ଲାଗି ସୁରକ୍ଷା ଲୋଡ଼ି ସୁପ୍ରିମ୍‌ କୋର୍ଟରେ ନିବେଦନ କରିଥିଲେ।

ଅନ୍ୟପଟେ ପରମବୀର ସିଂହ ଭାରତରେ ଅଛନ୍ତି ନା, ବିଦେଶରେ ଆତ୍ମଗୋପନ କରିଛନ୍ତି? ନିଜର ସାମ୍ପ୍ରତିକ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ନ ଦେଲେ ତାଙ୍କର ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ମହାରାଷ୍ଟ୍ରରେ ପରମବୀର ସିଂହଙ୍କ ନାମରେ ଅନ୍ୟୂନ ୫ଟି ଅପରାଧିକ ମାମଲା ରୁଜୁ ହୋଇଛି ହେବା ସହ ଜର୍ଜଗାଓଁ ବଟି ଆଦାୟ ମାମଲାରେ ଏକାଧିକ ଜାମିନରହିତ ପର୍‌ୱାନା ଜାରି ହୋଇଛି।

ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଲେ, ପରମବୀର ସିଂହ କାହାନ୍ତି? ସେ ତଦନ୍ତରେ ଯୋଗ ଦେଇ ନାହାନ୍ତି, ସେ କେଉଁଠି ଅଛନ୍ତି ଆମେ ଜାଣୁନା। ସେ ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଏତାଦୃଶ ଆଚରଣ ତାଙ୍କର ବିଶ୍ବସନୀୟତା ପ୍ରତି ଚିନ୍ତା ଉଦ୍ରେକ କରାଯାଇଛି।ବିଚାରପତି ସଞ୍ଜୟ କିଷନ୍‌ କୌଲ୍‌ କହିଲେ, ଆପଣ ଯଦି ବିଦେଶରେ ବସି ଅଦାଲତରେ ଆବେଦନ କରୁଥିବେ। ତେବେ ଅଦାଲତ ଆପଣଙ୍କ ସପକ୍ଷରେ ରାୟ ଦେଲେ ଯାଇ ଫେରିବେ। ଏମିତି ହୋଇଥାଇପାରେ।ପରମବୀର ସିଂହଙ୍କ ଠାରୁ ନିର୍ଦେଶ ପାଇବା ଲାଗି ତାଙ୍କ ଓକିଲ ଖଣ୍ଡପୀଠଙ୍କୁ ସମୟ ମାଗିଛନ୍ତି। ତେଣୁ, ପରମବୀର ସିଂହଙ୍କ ଆବେଦନର ଶୁଣାଣି ନଭେମ୍ବର ୨୨ରେ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।