ଏଣିକି ଯୁକ୍ତ ୩ରେ ପ୍ରତି ସେମିଷ୍ଟର ପାଇଁ ହେବନି ଫର୍ମ ପୂରଣ । ପରୀକ୍ଷାର୍ଥୀଙ୍କୁ ଥରେ ଦିଆଯିବ ଆଡମିଟ୍ କାର୍ଡ । ୨୦୨୦ ମେ’ ସୁଦ୍ଧା ସରିବ ପରୀକ୍ଷା, ବାହାରିବ ଫଳ

ସମସ୍ତ ପରୀକ୍ଷା ଓ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

589

କନକ ବ୍ୟୁରୋ: ଏଣିକି ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ଆଉ ପ୍ରତି ସେମିଷ୍ଟର ପରୀକ୍ଷା ଲାଗି ଫର୍ମ ପୂରଣ କରିବାକୁ ପଡ଼ିବନି। ନାମଲେଖା/ପୁନଃନାମଲେଖା ସମୟରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କଠାରୁ ପରୀକ୍ଷା ଫି’ ଆଦାୟ କରିବେ। ତେବେ ବ୍ୟାକ୍ ପେପର ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ଓ ଫି’ ଆଦାୟ କରାଯିବ। ଏଥିସହ ୨୦୧୯-୨୦ ଶିକ୍ଷାବର୍ଷଠାରୁ ଛାତ୍ରଛାତ୍ରୀଙ୍କୁ ଆଉ ପ୍ରତି ସେମିଷ୍ଟରରେ ଆଡମିଟ୍ କାର୍ଡ ଦିଆଯିବ ନାହିଁ। ବିଶ୍ବବିଦ୍ୟାଳୟ ପକ୍ଷରୁ ଥରେ ମାତ୍ର ଆଡମିଟ୍ କାର୍ଡ ବାହାରିବ। ଉକ୍ତ ଆଡମିଟ୍ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ ସମସ୍ତ ସେମିଷ୍ଟର ପରୀକ୍ଷା ଦେଇପାରିବେ। ଆଉ ଆଡମିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ। ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା କାର୍ଡ ବଦଳରେ କଲେଜ ପରିଚୟପତ୍ରକୁ ବ୍ୟବହାର କରି ପରୀକ୍ଷା ଦେଇପାରିବେ।

ସବୁଠାରୁ ବଡ଼ ନିଷ୍ପତ୍ତି ହେଲା, ଚଳିତବର୍ଷଠାରୁ ସମସ୍ତ ଯୁକ୍ତ୩ ପରୀକ୍ଷା କେନ୍ଦ୍ର(ଉଭୟ ଥିଓରି ଓ ପ୍ରାକ୍ଟିକାଲ)ରେ ସିସିଟିଭି ଲାଗିବ। ୨୦୧୯ରେ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷାରେ ସିସିଟିଭି ଲାଗିଥିଲା। ଆଉ ୨୦୨୦ରୁ ଯୁକ୍ତ୩ କଲେଜରେ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି କଲେଜ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ମଡେଲ୍ ରେଗୁଲେସନ ଅଫ୍ ୟୁଜି ପ୍ରୋଗ୍ରାମ-୨୦୧୯ ଅନୁଯାୟୀ ଯଦି କୌଣସି ଛାତ୍ରଛାତ୍ରୀ ଗୋଟିଏ ବର୍ଷର ଦୁଇଟି ଯାକ ମିଡ୍ ସେମିଷ୍ଟର ପରୀକ୍ଷାରେ ଅନୁପସ୍ଥିତ ରହନ୍ତି ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀ ଚୂଡ଼ାନ୍ତ ସେମିଷ୍ଟର ପରୀକ୍ଷାରେ ପାସ୍ କଲେ ମଧ୍ୟ ଫେଲ୍ ବୋଲି ଧରାଯିବ। ପରୀକ୍ଷାର ୪ ମାସ ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଟାଇମଟେବୁଲ୍ ସ୍ଥିର କରି ସମସ୍ତ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଇବେ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ। ଏଥର ପ୍ରଶ୍ନପତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନକୁ ସାମିଲ କରାଯିବ। ୧୨ରୁ ୧୪ଟି କଲେଜକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ। ଯଦି କୌଣସି କଲେଜ କର୍ତ୍ତୃପକ୍ଷ ମୂଲ୍ୟାୟନ କେନ୍ଦ୍ର କରିବାକୁ ଅରାଜି ହୁଅନ୍ତି ତେବେ ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଅକ୍ଟୋବର ୨୧ ସୁଦ୍ଧା ଚୂଡ଼ାନ୍ତ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ଓଏଚଇପିଇଇର ଏସପିଡିଙ୍କୁ ଅବଗତ କରାଇବେ।

ଚଳିତ ଶିକ୍ଷାବର୍ଷରୁ ଯେଉଁମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ ସେମାନଙ୍କୁ ଏକ ହଜାର ଟଙ୍କା ଓ ମୂଲ୍ୟାୟନକାରୀଙ୍କୁ ପ୍ରତି ଉତ୍ତର ଖାତା ପିଛା ୩୦ ଟଙ୍କା ଲେଖାଏଁ ଦିଆଯିବ। ବିଶ୍ବବିଦ୍ୟାଳୟ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକମାନେ ଅକ୍ଟୋବର ୨୧ ସୁଦ୍ଧା ଏନେଇ ସିଣ୍ଡିକେଟ୍ ବୈଠକରେ ପ୍ରସ୍ତାବ ପାରିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାର କୋଡିଂ କରାଯିବ। ଖାତା ଦେଖା ସରିବାର ଏକ ମାସ ମଧ୍ୟରେ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ଓ ମୂଲ୍ୟାୟନକାରୀଙ୍କ ଫି’ ପ୍ରଦାନ କରାଯିବ। ପରୀକ୍ଷା ଠିକ୍ ଭାବେ ପରିଚାଳିତ ହେଉଛି କି ନାହିଁ ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ ସେଥିପ୍ରତି ଦୃଷ୍ଟି ଦେବେ। ବିଶେଷକରି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଅଧିକ ଫୋକସ୍ ଦେବାକୁ କୁହାଯାଇଛି। ବିଭିନ୍ନ କାରଣ ଯୋଗୁଁ କେତେକ ବିଶ୍ବବିଦ୍ୟାଳୟ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରୁନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ବବିଦ୍ୟାଳୟ ଏ ଦିଗରେ ପଦକ୍ଷେପ ନେବେ। ୨୦୨୦ ମେ’ ସୁଦ୍ଧା ସମସ୍ତ ପରୀକ୍ଷା ଓ ଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।