ଅନ୍ଧାରରେ ରାଜ୍ୟର ୧୧୭୧୦ ସ୍କୁଲ । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ସମୀର ଦାଶ ।

730

କନକ ବ୍ୟୁରୋ : ଅନ୍ଧାରରେ ରାଜ୍ୟର ୧୧୭୧୦ ସ୍କୁଲ । ଯେଉଁଠିକୁ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବିଜେପି ବିଧାୟକ ମୋହନ ମାଝୀ ରାଜ୍ୟରେ ଥିବା ସ୍କୁଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସଂଯୋଗ, ଖେଳ ପଡିଆ, ଛାତ୍ରଛାତ୍ରୀଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତି ହୋଇଛି ସେନେଇ ଗୃହରେ ଉତ୍ତର ଜାଣିବାକୁ ଚାହିଁଥିଲେ ।

ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଗତ ୮ ବର୍ଷରେ ପ୍ରାଥମିକ ଓ ଉଚ୍ଚ ସ୍ତର ପାଇଁ ସମୁଦାୟ ୧୯୪୯୦ ଜଣ ଶିକ୍ଷାସହାୟକ ନିୟୋଜିତ ହୋଇଛନ୍ତି । ସେହିଭଳି ୧୧୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ୨୧୦୬୫ ସ୍କୁଲରେ ଖେଳପଡିଆ ନଥିବା ବେଳେ ୪୧୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ । ସେହିଭଳି ୬୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନଥିବା ବେଳେ ୬୦୧୧ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ସେହିଭଳି ଚଳିତ ଶିକ୍ଷା ବର୍ଷରେ ଡ୍ରପ୍ ଆଉଟ ହାର ପ୍ରାଥମିକ ସ୍ତରରେ ଶୂନ ଥିବା ବେଳେ ଉଚ୍ଚପ୍ରାଥିମକ ସ୍ତରରେ ୭.୩୪ ଏବଂ ମାଧ୍ୟମିକ ସ୍ତରରେ ୨୭.୨୬ ରହିଛି ।