ବଡ଼ ବିଡ଼ମ୍ବନା : କୋଟିଆକୁ ନେଇ ସୁପ୍ରିମକୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର; ସେପଟେ ସଂସଦରେ କେନ୍ଦ୍ରର ଉତ୍ତର, ସୀମା ବିବାଦ ତାଲିକାରେ ନାହିଁ ଓଡ଼ିଶା

129

କନକ ବ୍ୟୁରୋ : ବଡ ବିଡମ୍ବନା । ଗୋଟିଏ ପଟେ ଆନ୍ଧ୍ରପ୍ରଦେଶର ସହ ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଓଡିଶା ସରକାର । ଅନ୍ୟପଟେ ସୀମା ବିବାଦକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସଂସଦରେ ରଖିଥିବା ଉତରରେ ଓଡିଶାରେ କୌଣସି ସୀମା ବିବାଦ ନାହିଁ । ସୀମାବର୍ତ୍ତୀ କୋଟିଆକୁ ନେଇ ଦୀର୍ଘ ଦିନ ହେବ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିଲେ ବି କେନ୍ଦ୍ର ସରକାରଙ୍କ ଏଭଳି ଉତର ସମସ୍ତଙ୍କୁ ଚକିତ କରିଛି । ଆସାମ-ମିଜୋରାମ ସୀମା ବିବାଦ ଉଗ୍ର ରୂପ ଧାରଣ କରିବା ପରେ ଲୋକସଭାରେ ଗୃହମନ୍ତ୍ରାଳୟ ପକ୍ଷରୁ ଉତ୍ତର ରଖାଯାଇଥିଲା ।

ଦେଶର ଏଭଳି ମାତ୍ର ସାତଟି ବିବାଦ ଥିବା କୁହାଯାଇଛି । ବିବାଦ ଥିବା ରାଜ୍ୟ ଗୁଡିକ ହେଉଛନ୍ତି, ହରିୟାଣା- ହିମାଚଳପ୍ରଦେଶ, ଲଦାଖ- ହିମାଚଳପ୍ରଦେଶ, ମହାରାଷ୍ଟ୍ର- କର୍ଣ୍ଣାଟକ, ଆସାମ-ଅରୁଣାଚଳପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମେଘାଳୟ ଓ ଆସାମ-ମିଜୋରାମ । ଦେଶ ଭିତରେ ରାଜ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି, ଏନେଇ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଏଭଳି ବିବାଦ କେବଳ ଦୁଇ ରାଜ୍ୟର ସହଯୋଗରେ ସମାଧାନ କରାଯାଇପାରିବ । ତେବେ ଓଡିଶାର ପଡୋଶୀ ରାଜ୍ୟମାନଙ୍କ ସହ ଥିବା ବିବାଦକୁ କାହିଁକି କେନ୍ଦ୍ର ସରକାର ତାଲିକାଭୁକ୍ତ କରିନାହାଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।