ବଦଳିବ ପାଗ । ୪ରୁ ରାଜ୍ୟରେ ବଢିବ ଥଣ୍ଡା । ପାଣିପାଗ ବିଭାଗର ପୂର୍ବାନୁମାନ

18

କନକ ବ୍ୟୁରୋ : ପୁଣି ଲେଉଟିବ ଶୀତ । ଥଣ୍ଡାର ଲହରୀରେ ଥରିବ ଓଡିଶା । ୪ତାରିଖରୁ ପୁଣି ରାଜ୍ୟରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ଦିନ ହେଲା ଓଡ଼ିଶାର ଅଧିକାଂଶ ସ୍ଥାନରେ ଆକାଶକୁ ଢାଙ୍କିଥିଲା ବାଦଲ। ପୁରୀ ସମେତ କେତେକ ସ୍ଥାନରେ ଝିପିଝିପି ବର୍ଷା ବି ହୋଇଥିଲା ।

ପ୍ରଭାବରେ ଘନ କୁହୁଡିର ଆସ୍ତରଣ ଥିଲା, ଆଉ ଶୀତର ପ୍ରକୋପ ଅପେକ୍ଷାକୃତ ହ୍ରାସ ପାଇଥିଲା।ଏ ପାଗ ବଦଳିବାର ସଙ୍କେତ ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି, ଆସନ୍ତାକାଲି ଆକାଶରୁ ବାଦଲ ହଟିଯିବ। ୪ ତାରିଖରୁ ରାଜ୍ୟରେ ତାପମାତ୍ରା ପୁଣି ହ୍ରାସ ପାଇବ। ଶୀତ ଲେଉଟିବ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ କହୁଛି, ମଙ୍ଗଳବାରଠାରୁ ପାଗରେ ପରିବର୍ତନ ଆସିବ। ବର୍ଷାର ସମ୍ଭାବନା ଆଉ ନାହିଁ। ଅଭ୍ୟନ୍ତରୀଣ ଓଡ଼ିଶାରେ ପୂର୍ବଭଳି ତାପମାତ୍ରା ହ୍ରାସ ପାଇବା ସହ ବୁଧବାରଠାରୁ ପୁଣିଥରେ ଶୀତ ଲେଉଟିବ।

ମଙ୍ଗଳବାର ସକାଳଠାରୁ ଲୋକେ ପାଗରେ ପରିବର୍ତନ ଅନୁଭବ କରିବେ। ଏଭଳି ସ୍ଥିତି ପାଖାପାଖି ସପ୍ତାହେ ଯାଏ ଲାଗି ରହିବ। ସୋମବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୮ ଏବଂ ହୀରାକୁଦରେ ୯.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱରରେ ୧୬.୬ ଡିଗ୍ରୀ, କଟକରେ ୧୫.୬ ଡିଗ୍ରୀ, ଗୋପାଳପୁରରେ ୧୮.୮ ଡିଗ୍ରୀ, ପୁରୀରେ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗର ବୁଲେଟିନରୁ ପ୍ରକାଶ।