ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣର ଡ୍ରାଫ୍ଟ ଅଧିନିୟମ । ଶ୍ରୀମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ ।

103

କନକ ବ୍ୟୁରୋ: ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଜାରି କରିଛି ପ୍ରସ୍ତାବିତ ବାଇ-ଲ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ ସ୍ମାରକୀ ପ୍ରାଧୀକରଣ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ ।

ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧୀକରଣର ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ପ୍ରାୟ ୩୭ ଏକର ଅଂଚଳ । ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଏକରରୁ ଅଧିକ । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତ୍ତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଡ୍ରାଫ୍ଟ ନିୟମାବଳୀ ପ୍ରକାଶ କରାଯାଇଛି । ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ ସ୍ମାରକୀ ପ୍ରାଧୀକରଣର ପ୍ରସ୍ତାବିତ ଅଧିନିୟମ, ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।