କେକେଆର୍ ବାଛିଲା ନୂଆ କ୍ୟାପଟେନ୍ । ଶ୍ରେୟାସଙ୍କ ଜାଗା ନେଲେ ଏହି ଯୁବ ଖେଳାଳି ।

215

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନ୍ ବାଛିଛି କୋଲକାତା ନାଇଟ୍ ରାଇଡର୍ସ । ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ୨୯ ବର୍ଷୀୟ ନୀତିଶ ରାଣା ଦଳର ନେତୃତ୍ୱ ନେବେ ବୋଲି ମ୍ୟାନେଜମେଣ୍ଟ ଘୋଷଣା କରିଛି । ତେବେ ଦଳର ନିୟମିତ ଅଧିନାୟକ ଶ୍ରେୟାସ ଆୟର ଏବେ ପିଠି ଯନ୍ତ୍ରଣା ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଆଇପିଏଲ୍ ପ୍ରାରମ୍ଭରୁ ସେ କିଛି ମ୍ୟାଚ୍ ମିସ୍ କରିପାରନ୍ତି । ତେଣୁ ତାଙ୍କ ଅନୁପସ୍ଥିତିରେ ନୀତିଶ ରାଣା ଦଳର ମଙ୍ଗ ଧରିବେ ବୋଲି ଘୋଷଣା କରାଯାଇଛି ।

କୋଲକାତା ନାଇଟ୍ ରାଇଡର୍ସ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରେୟାସ ଆୟର ଆଇପିଏଲର କିଛି ମ୍ୟାଚ୍ ଖେଳିନପାରନ୍ତି । ତେଣୁ ତାଙ୍କ ବଦଳରେ ନୀତିଶଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ୨୦୧୮ରୁ ସେ ଦଳ ସହିତ ଅଛନ୍ତି, ତେଣୁ ତାଙ୍କ କ୍ୟାପଟେନ୍ସିରେ ଦଳ ଆଗକୁ ବଢିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି ।

କେକେଆର ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ମୁଖ୍ୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଓ ସହଯୋଗୀ ଷ୍ଟାଫଙ୍କ ସହଯୋଗ ନେତୃତ୍ୱ ନେବା ପାଇଁ ନୀତିଶଙ୍କୁ ନିଶ୍ଚୟ ସହାୟତା କରିବ । ନୀତିଶଙ୍କୁ ଏହି ଅବସରରେ ଶୁଭେଚ୍ଛା ଦେବା ସହିତ ଆୟରଙ୍କ ଶୀଘ୍ର ସୁସ୍ଥତା କାମନା କରିଛି କେକେଆରର ମ୍ୟାନେଜମେଣ୍ଟ ।

ସୂଚନାଯୋଗ୍ୟ ଯେ, ବାମହାତୀ ବ୍ୟାଟ୍ସମ୍ୟାନ୍ ନୀତିଶ ରାଣା ବର୍ତ୍ତମାନ ସୁଦ୍ଧା ୯୧ଟି ଆଇପିଏଲ ମ୍ୟାଚ୍ ଖେଳିସାରିଲେଣି । ୮୫ଟି ଇଂନିସରେ ସେ ୨୧୮୧ ରନ୍ କରିବା ସହିତ ୨୮.୩୨ ହାରରେ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ୍ କ୍ୟାରିୟରରେ ନୀତିଶ ୧୫ଟି ଅର୍ଦ୍ଧଶତକ ମାରିଛନ୍ତି । କେକେଆର୍ ପୂର୍ବରୁ ନୀତିଶ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲେ ।